ଅନୁଭୂତି-୫

ସ୍କୁଟରକୁ ଦୁଆର ମୁହଁରେ ଷ୍ଟାଣ୍ଡ ଲଗେଇ ଦଣ୍ଡଘରକୁ ପଶୁ ପଶୁ ଅଟକି ଗଲେ ସାହୁବାବୁ। ସୋଫାରେ ବସି ଚା’ ପିଉଥିବା ଯୁବକ ଜଣକ ଚିହ୍ନାଚିହ୍ନା ଲାଗୁଥାନ୍ତି। ତାଙ୍କୁ ଦେଖୁ ଦେଖୁ ଉଠି ଆସି ପ୍ରଣାମ କଲେ, “ସାର, ମୁଁ ମିଟୁ।” ସାହୁବାବୁ ଫ୍ଲାସବ୍ୟାକରେ ଚାଲିଗଲେ ୨୦ବର୍ଷ ପଛକୁ। “ମାଷ୍ଟ୍ରେ ମୁଁ କଥା ଦେଉଛି ମୁଁ ବଞ୍ଚିଥିବା ଯାଏଁ ଏକଥା ମୋ ଛାତିତଳେ ରହିବ।” ଲଥ କରି ସୋଫା ଉପରେ ବସିଗଲେ ସାହୁବାବୁ। ତାହେଲେ କଣ ପୋଷ୍ଟ ମାଷ୍ଟର ଚାଲିଗଲେ?
“ସାର, ରାଉତ ମଉସା ଗତ ସପ୍ତାହରେ ଆରପାରିକୁ ଚାଲିଗଲେ। ଯିବା ପୂର୍ବରୁ ମୋତେ ସବୁକଥା କହିଲେ। ଆଉ ଆପଣଙ୍କୁ ତାଙ୍କ ତରଫରୁ କ୍ଷମା ପ୍ରାର୍ଥନା କରିବାକୁ କହିଲେ। ଆପଣ ଦୁହେଁ ମୋ ପାଇଁ ସାକ୍ଷାତ ଭଗବାନ!” ଶେଷ ଧାଡ଼ିକ କହିଲା ବେଳକୁ ମିଟୁ ଆଖି ଛଳଛଳ ହେଇଗଲା।
“କଥା କଣ?” ପତ୍ନୀ ପଚାରି ଉଠିଲେ ସାହୁବାବୁଙ୍କୁ।
“ଲମ୍ବା କାହାଣୀ ସୁଧା! ବାପା-ମା ଛେଉଣ୍ଡ ମିଟୁ ମାମୁଁଙ୍କ ପାଖରେ ରହି ପଢୁଥିଲା ଆମ ସ୍କୁଲରେ। ଦିନେ ତା ଆଖି ତଳେ ଗୋଟେ ବଡ଼ କଟାଘା’ ଦେଖି ବିଚଳିତ ଲାଗିଲା। ସେଦିନ ମିଟୁ ସାଙ୍ଗରେ ସ୍କୁଲରୁ ତା ମାମୁଁଘରକୁ ଯିବା ବେଳେ ପଚାରିବାରୁ କାନ୍ଦି କାନ୍ଦି କହିଲା ଯେ ତା ମାଇଁ ବାଡ଼େଇକି ଏ ଅବସ୍ଥା କରିଛି। ସେଇ ସମୟରେ ସ୍ଥିର କଲି, ମିଟୁ ଆଉ ତା ମାମୁଁଘରେ ରହିବ ନାହିଁ। ପାଖ ଜିଲ୍ଲାରେ ଥିବା ଆବାସୀୟ ସ୍କୁଲକୁ ପଠେଇ ଦିଆଯିବ ମିଟୁକୁ।
ମୋର ପ୍ରିୟ ବନ୍ଧୁ ପୋଷ୍ଟ ମାଷ୍ଟର ରାଉତବାବୁଙ୍କ ସାଙ୍ଗରେ ଏ ବିଷୟରେ ଆଲୋଚନା କରିବାରୁ ସେ ବି କହିଲେ ପ୍ରସ୍ତାବଟି ଭଲ। ହେଲେ ଖର୍ଚ୍ଚ କଥା କେମିତି କଣ କରିବା। ବୁଝାବୁଝି କରିବାକୁ ତାଙ୍କୁ ଅନୁରୋଧ କଲି। ଆମ ଉପର ଅଫିସରଙ୍କ ସହ କଥା ହୋଇ କିଛି ବୃତ୍ତିର ବ୍ୟବସ୍ଥା କରିବି ବୋଲି କହିଲି।
କିଛିଦିନ ପରେ ମିଟୁକୁ ନେଇ ଆବାସୀୟ ସ୍କୁଲରେ ଏଡ଼ମିଶନ କରେଇ ଦେଲି। ସ୍କୁଲ ଫିସ, ବହିପତ୍ର ଇତ୍ୟାଦି ଖର୍ଚ୍ଚ ବ୍ୟବସ୍ଥା କିଛି ଅଫିସରଙ୍କ ସହଯୋଗରୁ ହେଇ ଯାଇଥିଲା। ଖାଲି ହଷ୍ଟେଲ ଖର୍ଚ୍ଚ ବାକି ରହିଲା ଯୋଉଟା ମୁଁ ନିଜେ ବହନ କରିବି ବୋଲି ସ୍ଥିର କଲି। ହେଲେ ମୁଁ ଚାହୁଁ ନଥିଲି ମିଟୁ ଏକଥା ଜାଣୁ। ତେଣୁ ରାଉତବାବୁଙ୍କୁ ଅନୁରୋଧ କରିଥିଲି ମନି ଅର୍ଡରରେ ମୋ ନାଁ ନ ଲେଖିବା ପାଇଁ। ସେ ବି ମୋତେ କଥା ଦେଲେ ଏକଥା ତାଙ୍କ ବଞ୍ଚିଥିବା ଯାଏଁ କେହି ଜାଣି ପାରିବେ ନାହିଁ। ମାସକୁ ୩୦୦ଟଙ୍କା ଏକ କପୋଳକଳ୍ପିତ ବ୍ୟକ୍ତିଙ୍କ ନାଁ ରେ ଟଙ୍କା ଯାଉଥିଲା ମିଟୁ ପାଖକୁ। ଆଜି ମିଟୁକୁ ଏଠି ଦେଖି ମୋତେ ଲାଗିଲା କିଛି ଅଘଟଣ ନିଶ୍ଚୟ ହେଇଛି। ରାଉତବାବୁ ଜଣେ ନିହାତି ଭଦ୍ରବ୍ୟକ୍ତି ଥିଲେ।”
“ନିଶ୍ଚୟ ସାର! ରାଉତ ମଉସା ଜଣେ ନିହାତି ଭଦ୍ରବ୍ୟକ୍ତି ଥିଲେ। ଏବେ ମୁଁ ବୁଝି ପାରିଛି ମୋ ପାଖକୁ ମାସକୁ ୬୦୦ଟଙ୍କା କୋଉଠୁ ଆସୁଥିଲା…” ମିଟୁ କହି ଉଠିଲା।
ସାହୁବାବୁ କିଛି ପଚାରିବାକୁ ଚାହୁଁଥିଲେ ବୋଧେ ହେଲେ ଚୁପ ରହିଗଲେ। ମନେ ମନେ କଣ ଭାବିଲେ କେଜାଣି ମୁହଁରେ ଏକ ସ୍ମିତହାସ୍ୟ ଖେଳିଗଲା!
©idontknowwhattosay

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s