ଗଣେଶ ପୂଜା

ରାତି ପାହିଲେ ଗଣେଶ ପୂଜା। ପେଣ୍ଡାଲ ତିଆରି ସରିଥାଏ। ଖୁଣ୍ଟାପୋତି ଚାନ୍ଦୁଆ ବନ୍ଧା ଆଉ ଡେକୋରେସନ କାମ ପୁରା ବାକି ଥାଏ। ୨୦୦ୱାଟ ବଲବ ଦୁଇଟା ଜଳେଇ ସମସ୍ତେ କାମରେ ଲାଗିଥାନ୍ତି। ଛୁଆ ନାଲି ନେଳୀ କାଗଜର ପତାକାକୁ ମଇଦା ଅଠାଲଗା ସୁତୁଲିରେ ଲଗାଉଥାନ୍ତି। ଚୁଡାଘଷା ତିଆରି କାମ ବି ଜୋରସୋରରେ ଚାଲିଥାଏ। ଠାକୁରଙ୍କ ମୂର୍ତ୍ତୀ ସ୍ଥାପନା ହୋଇ ସାରିଥାଏ, ସିଂହାସନ ଉପରେ ବସିଥିବା ଗଣେଶ ଆଉ ପାଦତଳେ ମୂଷିକ। ମୁହଁକୁ ଖବରକାଗଜରେ ଢାଙ୍କି ଦିଆ ଯାଇଥାଏ। ସମସ୍ତେ କାମରେ ଭାରି ବ୍ୟସ୍ତ।
ତୋରଣ ଉପରେ ସ୍ୱାଗତମ ବୋଲି ଗୋଟେ ବୋର୍ଡ଼ ଲାଗିବ। ସୋଲଉପରେ ଆଗେ ସୁନ୍ଦର ଅକ୍ଷରରେ ଲେଖିଦେଲେ ତାକୁ ସାଇଜ କରି କାଟି ରଙ୍ଗୀନ ଚୁମୁକି ପକେଇ ଅଠାମାରି ଲଗେଇବା କାମ ମୋର। କର୍ପୂର ପୁଡ଼ିଆଟି ଚୁଡ଼ାଘଷା ଟିମକୁ ବଢ଼େଇ ଦେଇ ଧାଇଁଲି ସନିଆ ଘରକୁ, ସୋଲ କଟାକଟି କରିବାକୁ।
ସୋଲ ଉପରେ ଗୋଲଗୋଲ ଅକ୍ଷରରେ ସ୍ୱାଗତମ ଲେଖୁଥିଲା ଝିଅଟିଏ। ଲେଖୁ ଲେଖୁ ଉପରକୁ ଚାହିଁ ଆଖି ନଚେଇ ପଚାରିଲା କେମିତି ହେଇଛି? କଣ ହେଲା କେଜାଣି ହଠାତ କାନର ମସ୍ତିଷ୍କ ସହିତ, ମସ୍ତିଷ୍କର ମୁହଁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେଇଗଲା। ମୁହଁ ହାଁ କରି ଅନେଇ ରହିଲି, ପାଟିରୁ ଭାଷା ବାହାରିଲା ନାହିଁ। ତା ସ୍ମିତହସର କରେଣ୍ଟ ଲାଗିଲା ବୋଧେ, ସବୁ କନେକ୍ସନ ପୁଣି ଯୋଡ଼ି ହେଇଗଲା। “ବଢ଼ିଆ ହେଇଛି, ଫାଇନାଲ ହେଇ ସାଇଛି ଯଦି ଦିଅ ମୁଁ କାଟିକି ଚୁମୁକି ଲଗେଇ ଦିଏ” କହି ଅନେଇ ରହିଲି। “ଟିକେ ବସ, ଲେଖାର ଧାରଗୁଡ଼ିକ ଟିକେ ବୋଲଡ଼ କରି ଦିଏ।” ପାଖରେ ପଡ଼ିଥିବା ବେଞ୍ଚ ଉପରେ ବସିଗଲି।
କିଛି ସମୟ ଭିତରେ ଲେଖା ସାରି ମୋ ହାତକୁ ବଢ଼େଇ ଦେଲା ସୋଲପଟିଟି। ପୁଣି ଗୋଟେ ଘାଇଲା କଲା ଭଳିଆ ସ୍ମିତହସ ଖଣ୍ଡେ ସହିତ। ବ୍ଲେଡରେ ସୋଲରୁ ଲେଖା ପାର୍ଟଟା କାଢ଼ିଲା ବେଳେ ପାଖରେ ଠିଆ ହୋଇ ରହିବାରୁ ମୁଁ ଟିକେ ଇତସ୍ତତଃ ହେଲି। କହିଲା “ବହୁତ କଷ୍ଟରେ ଲେଖିଛି। ଠିକ କରି କାଟିବ ପ୍ଲିଜ!” ମୋ ଭିତରେ ଥିବା ବଦମାସିଆ ହଠାତ କହି ଉଠିଲା “ମୋ ଭଳିଆ ଏଠି ଆଉ କେହି କାଟି ପାରିବେନି।” ଦୁହେଁ ହସି ଉଠିଲୁ।
ତା ପରଦିନ ହଠାତ ବାଟରେ ଦେଖା ହେଇଗଲା। ରାଗିକି ପାଚି ଯାଇଥିଲା ସେ। “ସାଇମନ୍ଦିର କାନ୍ଥରେ ତମେ ଲେଖିଛ A+B? ହସିକି କଥା ହେଇଗଲି ବୋଲି ମନେମନେ ହିରୋ ହେଇଗଲ? ପାତିମାଙ୍କଡ଼ କୋଉଠିକାର?” ଏତିକି କହି ତମତମ ହୋଇ ଚାଲିଗଲା। ଅବାକ ହେଇ ଭାବିବାକୁ ଲାଗିଲି କଣ କହିଗଲା।
ସିଧା ସାଇମନ୍ଦିର ଚାଲିଲି। ମନ୍ଦିର ପଛପଟ କାନ୍ଥରେ ଲେଖା ହେଇଥିଲା A+B, ଗୋଟେ ପାନପତ୍ର ଚିତ୍ର ଭିତରେ। ଧୀରେ ଧୀରେ ବୁଝି ପାରିଲି। ହସ୍ତାକ୍ଷର ଦେଖି ଠଉରେଇବାକୁ ବେଶୀ ସମୟ ଲାଗିଲା ନାହିଁ କିଏ ଲେଖିଛି।
“ସନିଆ, ମନ୍ଦିର କାନ୍ଥରେ A+B ତୁ ଲେଖିଛୁ?” ଗମ୍ଭୀର ହୋଇ ପଚାରିଲି। ସାଙ୍ଗେ ସାଙ୍ଗେ ମାନିଗଲା। ଢୋ କରି ଗୋଟେ ଚାପୁଡ଼ା ମାରିଲି ସନିଆକୁ। ସେ ତା ଗାଲ ଆଉଁସିବାରେ ଲାଗିଲା।
ମୁଁ କେବଳ ଗୋଟିଏ କଥା ବିଶ୍ଳେଷଣ କରୁଥିଲି “ଶଃ! ମୋତେ ପାତିମାଙ୍କଡ଼ କାହିଁକି କହିଲା….”

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s