ଜନ୍ମ
୧୮୯୯ ମସିହା ନଭେମ୍ବର ମାସ ୨୨ ତାରିଖ ଦିନ ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାର ମାଲକାନଗିରି ତାଲୁକା ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ତେନ୍ତୁଳିଗୁମ୍ମାରେ ଜନ୍ମ ହୋଇଥିଲେ। ତାଙ୍କର ପିତା ପଦଲମ୍ ନାୟକ ଥିଲେ ଜୟପୁର ରାଜାଙ୍କ ମୁସ୍ତାଦାର. ତାଙ୍କ ଅଧୀନରେ ଥିଲା ବେଜୁଣିଗୁଡା, ଲେକିଗୁଡା, କଙଲଗୁଡା ଓ ତେନ୍ତୁଳିଗୁମ୍ମା ଗ୍ରାମ। ସେତେବେଳେ ପ୍ରାୟ ଜମି ରାଜାଙ୍କ ନାଁରେ ଥିଲା, ମୁସ୍ତାଦାର ଥିଲେ ସେ ସବୁର ତତ୍ତ୍ଵାବଧାରକ. ଜମିଗୁଡିକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଫସଲ ଆମଦାନୀ ବେଳେ କର ବା ଶିସ୍ତୁ ଆଦାୟ କରିବା, ଆଦାୟ ଧନକୁ ନିର୍ଦ୍ଧାରିତ ପରିମାଣ ଅନୁଯାୟୀ ରାଜାଙ୍କ ଅମୀନ ପାଖରେ ପୈଠ କରିବା ଇତ୍ୟାଦି କାମ ଥିଲା ମୁସ୍ତାଦାରଙ୍କର. ଚାଷ କରିବାକୁ ହେଲେ ମୁସ୍ତାଦରଙ୍କ ଆଜ୍ଞାବହ ହେବାକୁ ପଡୁଥିଲା।
ପଦଲମଙ୍କର ତିନିପୁଅ ସନିଆ, ଲକ୍ଷ୍ମଣ ଓ ଧନ ନାୟକ। ଗାଈଗୋରୁ ଛେଳିମେଣ୍ଢା ସହ ପଦଲମଙ୍କର ଶହେ ଏକର ଜମି। ଆଠବଖରା ଖଞାଘର ପିଣ୍ଡାରେ ବସି ସେ ଗାଁ କଥା ଓ ବାହାର କଥା ବୁଝୁଥିଲେ। ନିଜର ତୀକ୍ଷ୍ଣ ବୁଦ୍ଧି ଓ କର୍ମଠତା ଯୋଗୁଁ ରାଜାଙ୍କର ପ୍ରିୟପାତ୍ର ଥିଲେ। ଗାଁରେ କୁଟିଆ, ରଣା, ଡମ୍ବ, ପାରେଙ୍ଗା, ପାଇକ, କମାର ଆଦି ବିଭିନ୍ନ ଜାତିର ଲୋକ ଏକାଠି ରହୁଥିଲେ, ସମସ୍ତଙ୍କ ଘରେ ଲକ୍ଷ୍ମଣଙ୍କର ଅବାଧ ପ୍ରବେଶ ଥିଲା। ସାଧାରଣ ଘରର ପିଲା ପରି ସେ ସାଙ୍ଗମେଳରେ କୋଲାବ ନଦୀରେ ପହଁରୁ ଥିଲେ, ନଈକୂଳର ଆମ୍ବତୋଟାରେ ଡାଳମାଙ୍କୁଡି ଖେଳୁଥିଲେ। ବଡ ବଡ ଗଛମାନଙ୍କ ଉପରକୁ ଚଢିଯାଇ ସେ ବହୁତ ସମୟ ଧରି ଖୋଲା ଆକାଶ ଓ ନଦୀଶଯ୍ୟାକୁ ଲକ୍ଷକରି ଭାବୁଥିଲେ। ଲକ୍ଷ୍ମଣ ଜଣେ ଅବ୍ୟର୍ଥ ଶିକାରି ଥିଲେ, କୋଲାବନଦୀ ଧାରରେ ଥିବା ତାରା ପର୍ବତ ଥିଲା ତାଙ୍କ ଶିକାରସ୍ଥଳୀ।
ତେନ୍ତୁଳିଗୁମ୍ମାଠାରୁ ସାଲିମିଯାଏ ଅଞ୍ଚଳରେ ସ୍କୁଲ କିମ୍ବା ଡାକ୍ତରଖାନାଟିଏ ନଥିଲା। ତେଣୁ ଲକ୍ଷ୍ମଣ ନାୟକ ପାଠ ପଢିନଥିଲେ। ବାରବର୍ଷ ବୟସରେ ତାଙ୍କ ବାପା ତାଙ୍କୁ ପାଲିପଟାରେ ଅକ୍ଷରଶିକ୍ଷା ଦେଇଥିଲେ ଯାହାଦ୍ଵାରା ସେ କେବଳ ନିଜ ନାଁ ଲେଖିପାରିଲେ ଓ କିଛି ବହି ପଢିପାରିଲେ। ସେ ଓଡିଆ ଭାଷା ସହ ଅନ୍ୟାନ୍ୟ ଆଦିବାସୀ ଭାଷା ଯେମିତି ଗଦବା, ପରଜା ଆଦି ବୁଝି ଓ କହି ପାରୁଥିଲେ।
ଯୌବନ
ଷୋଳବର୍ଷ ବଯସ୍କ ଲକ୍ଷ୍ମଣ ଭଲ ଗୀତ ଗାଉଥିଲେ। ଗାଁ, ନଈ, ପାହାଡ ପର୍ବତ ଆଦିକୁ ନେଇ ଗୀତ ଯୋଡି ଗାଉଥିଲେ। ଉଚ୍ଚ ଭୁମିଆ ଜାତିରେ ଜନ୍ମିଥିଲେ ମଧ୍ୟ ଲକ୍ଷ୍ମଣ ବାଛବିଚାର ରଖୁନଥିଲେ। ସେତେବେଳେ ସମାଜରେ ନୀଚ ଜାତିର ଘରେ ପାଣି ଛୁଇଁବା ପାପ ବୋଲି ମଣୁଥିଲେ, ହେଲେ ଲକ୍ଷ୍ମଣ ନିଜ ସାଙ୍ଗ ଭାଲୁ ଡମ୍ବଘରେ ଖିଆପିଆ କରୁଥିଲେ।
ସେତେବେଳେ ଜୟପୁରରୁ ଅମିନ, ପୁଲିସି ଆଦି ଆସୁଥିଲେ ପଦଲମଙ୍କ ଘରେ ରହୁଥିଲେ। ସେମାନେ ଜୋରଜୁଲମ କରି ଲୋକଙ୍କୁ ଶୋଷଣ କରୁଥିଲେ। ଏକଥା ଦେଖି ଲକ୍ଷ୍ମଣ ଘୃଣାରେ ଘରେ ରହୁନଥିଲେ। ଲୋକମାନଙ୍କୁ ଅଭିଯୋଗ କରିବାକୁ କହିଲେ ସେମାନେ ପ୍ରାଣଭୟରେ ମନା କରୁଥିଲେ। ତେଣୁ ଥରେ ସେ ଗାଁ ଲୋକଙ୍କ ତରଫରୁ ବାପାଙ୍କ ପାଖରେ ଅଧିକାରୀମାନଙ୍କ ଅନ୍ୟାୟ ବିରୁଦ୍ଧରେ ଆପତ୍ତି କଲେ। ପଦଲମ୍ ଏଥିପାଇଁ ସଙ୍ଘବଦ୍ଧ ଉଦ୍ୟମ ଦରକାର ବୋଲି କହିଲେ। ଗୋଟିଏ ଗାଁରେ ନୁହେଁ ଏଥିପାଇଁ ଗାଁକୁ ଗାଁ ବୁଲି ଜାଗରଣ ଆବଶ୍ୟକ ବୋଲି କହିଲେ।
ବ୍ରିଟିଶ ସରକାରଙ୍କର ଦୌରାତ୍ମ୍ୟ ବେଳକୁ ବେଳ ବଢିବାକୁ ଲାଗିଲା। ପ୍ରତିକ୍ଷେତ୍ରରେ ଟିକସ ବୃଦ୍ଧି, ଧର୍ମ ଓ ନାଗରିକ ଅଧିକାର ଉପରେ କଟକଣା, ଏପରିକି ଶେଷକୁ ଲଙ୍ଗଳ ଓ ହାଟ ଉପରେ ମଧ୍ୟ କରଦେବାକୁ ପଡିଲା। ଗରିବ ଓ ନିରୀହ ଆଦିବାସୀମାନଙ୍କୁ ଏକଥା ଖୁବ୍ ବାଧିଲା ଏବଂ ଏକ ସଙ୍ଗଠିତ ବିଦ୍ରୋହର ଆରମ୍ଭ ହେଲା।
ଆଦିବାସୀମାନେ କୋରାପୁଟ ଜିଲ୍ଲାର ଗୁଣୁପୁର ରାୟଗଡା ଅଞ୍ଚଳକୁ ମିଶାଇ ଏକ ସଙ୍ଗଠନ କଲେ ଯାହାକୁ “ଗୁମ୍ମା ଗାରବା ମେଳି” ବୋଲି କୁହାଗଲା। ଘନଜଙ୍ଗଲ ଭିତରେ ଗୋପନରେ ସଶସ୍ତ୍ର ଲଢେଇ ଶିକ୍ଷାକରି ଲୋକମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢିବାକୁ ପ୍ରସ୍ତୁତ ହେଲେ। ଏ ମେଳି ଗଠନ ହେବା କଥା ଆଖପାଖ ଅଞ୍ଚଳରେ ବ୍ୟାପିଗଲା। ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାରମାନେ ମଧ୍ୟ ଏକ ମେଳି ଗଠନ କଲେ। ଏହି ପ୍ରଜାମେଳିମାନେ ବ୍ରିଟିଶ ସରକାରଙ୍କୁ ହଇରାଣ କରିବାକୁ ଲାଗିଲେ।
ସେ ସମୟରେ ଫିତୁରୀ (ତେଲୁଗୁରେ ଫିତୁରୀ ମାନେ ମେଳି) ନାମକ ଏକ ମେଳି ଶ୍ରୀ ଆଲ୍ଲୁରି ସୀତାରାମ ରାଜୁଙ୍କ ନେତୃତ୍ଵରେ ଆନ୍ଧ୍ରପ୍ରଦେଶର ମାଡଗୁଲ୍ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଉଚ୍ଚଶିକ୍ଷିତ ରାଜୁଙ୍କ ସହ ଥିଲେ କୋୟା ବା କନ୍ଧଜାତିର ବାସୀନ୍ଦାମାନେ। ଆଲଫ୍ରେଡ୍ ବେଇସନ୍ ନାମକ ଜଣେ ଡେପୁଟି ତହସିଲଦାର ଲୋକମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଥିଲେ। ଫିତୁରୀ ତାଙ୍କୁ ପ୍ରତିହତ କରି ଭାରତଛାଡ଼ର ପ୍ରଥମ ବୀଜବପନ କରିଥିଲେ ଏଇ ଜଙ୍ଗଲ ପ୍ରଦେଶରୁ। ଦୁର୍ଦ୍ଦାନ୍ତ କୋୟାମାନଙ୍କୁ ନେଇ ଗଠିତ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏଇ ମେଳିର ଦୀର୍ଘ ତିନିଚାରି ବର୍ଷ ସଂଘର୍ଷ ଚାଲିଲା ସରକାରଙ୍କ ବିରୋଧରେ। ଫିତୁରୀକୁ ଦମନ କରିବାର ସବୁ ଚେଷ୍ଟା ବିଫଳ ହେବାରୁ ଶେଷରେ ହାରମାନି ବ୍ରିଟିଶ ସରକାର ସୀତାରାମ ରାଜୁଙ୍କୁ ମାଲକାନନଗିରିରେ ଜଣେ ଦୁର୍ଦ୍ଦାନ୍ତ ଯୁବନେତା ଓ ବଳିଷ୍ଠ ସଙ୍ଗଠକ ହିସାବରେ ସମ୍ମାନିତ କଲେ। ଏହି ମେଳିର ପ୍ରଭାବ ଲକ୍ଷ୍ମଣଙ୍କ ଉପରେ ଯଥେଷ୍ଟ ପଡିଥିଲା। ସୀତାରାମ ରାଜୁ ନିଷ୍ପେସିତ ଆଦିବସୀମାନଙ୍କ ମନରେ ଚେତନା ସଂଚାର କରେଇଥିଲେ। ଅସ୍ତ୍ରଶସ୍ତ୍ରଶିକ୍ଷା କରିଥିବାରୁ ସେମାନେ ବନ୍ଧୁକର ଜବାବ ବନ୍ଧୁକରେ ଦେବାକୁ ଦ୍ରୁଢସଙ୍କଳ୍ପ ନେଲେ।
ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ
ଲୁଲେରୁ ପର୍ବତର ପାଦଦେଶରେ ଥିବା କକୁରକୋଣ୍ଡା ଗାଁର କୋୟା ଯୁବକ ଚନ୍ଦ୍ରକୁଟିଆ ଫିତୁରୀରେ ଯୋଗ ଦେଲେ। ସେ ଜଣେ ବଳିଷ୍ଠ ସଙ୍ଗଠକ ହେବା ସହ ଫିତୁରୀରେ ଗୋପନରେ ଆଦିବାସୀମାନଙ୍କୁ ଅସ୍ତ୍ରଶସ୍ତ୍ରଶିକ୍ଷା ଓ ଶତ୍ରୁର ମୁକାବିଲା କରିବାର ନୂତନ ଉପାୟମାନ ଶିଖାଇଲେ। ଲକ୍ଷ୍ମଣ ଆଖପାଖ ଗାଁରେ ସ୍ଵାଧୀନତାର ବାର୍ତ୍ତା ପ୍ରଚାର ପାଇ ଯିବାବେଳେ ଚନ୍ଦ୍ର କୁଟିଆଙ୍କ ସହ ପରିଚିତ ହେଲେ, ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଲା। ସଶସ୍ତ୍ର ବିପ୍ଳବ ଦରକାର ପଡିପାରେ ବୋଲି ଚିନ୍ତାକରି ଲକ୍ଷ୍ମଣ ମଝିରେ ମଝିରେ ଆସି ଚନ୍ଦ୍ର କୁଟିଆଙ୍କ ଠାରୁ ବନ୍ଧୁକଚାଳନା ଶିଖିଲେ।
ଲକ୍ଷ୍ମଣ ଅନ୍ୟ ମେଳିରେ ଯୋଗଦେବା ଅପେକ୍ଷା ଚନ୍ଦ୍ରକୁଟିଆଙ୍କ ସହ ନିଜ ଅଞଳ ମାତିଲିରେ ଏକ ସଙ୍ଗଠନର ସ୍ଵପ୍ନ ଦେଖୁଥିଲେ। ଠିକ୍ ସେହି ସମୟରେ ବ୍ରିଟିଶ ସରକାର କୋୟାମାନଙ୍କୁ ଦମନ କରିବାକୁ ଚେଷ୍ଟା କରିବାରୁ ଏକ ତୁମୁଳ ସଂଘର୍ଷର ସୁତ୍ରପାତ ହେଲା। ସଶସ୍ତ୍ରବିପ୍ଳବରେ ବହୁତ ମୃତାହତ ହେଲେ ଏବଂ ସୀତାରାମ ରାଜୁଙ୍କର ଗରିଲାବାହିନୀ ଆତ୍ମସମର୍ପଣ କଲେ। ଅନେକ ଲୋକଙ୍କୁ କଳାପାଣି ପଠେଇ ଦିଆଗଲା, ଚନ୍ଦ୍ର କୁଟିଆ ସେହି ଝଡରେ କାହିଁ ହଜିଗଲେ। ଲକ୍ଷ୍ମଣଙ୍କ ମନ ଭାଙ୍ଗିଗଲା ହେଲେ ଭିତରେ ଭିତରେ ସେ କୁହୁଳି ଉଠିଲେ।
୧୯୩୦ ମସିହାରେ ପଦଲମ୍ ଅବସର ନେଲା ପରେ ଲକ୍ଷ୍ମଣ ମୁସ୍ତାଦରଭାବେ ମନୋନୀତ ହେଲେ। ଜମିଜମା ଗଣ୍ଡଗୋଳ ତୁଟେଇବାଠାରୁ ଆରମ୍ଭ କରି ଲୋଭୀ ସାହୁକାରମାନଙ୍କଠାରୁ ନିରୀହ ଆଦିବାସୀମାନଙ୍କୁ ବଞ୍ଚେଇବା ଆଦି କାମରେ ଲାଗି ରହୁଥିଲେ ସେ। ପୁରୁଣା ପ୍ରଣାଳୀରେ ଚାଷ କରିବା ଦ୍ଵାରା ଅମଳ କମ ହେଉଚି ତେଣୁ ଉନ୍ନତ ପ୍ରଣାଳୀରେ ନିଜ କ୍ଷେତରେ ଚାଷକରି ସେ ଲୋକମାନକୁ ଉତ୍ସାହିତ କରୁଥିଲେ। ଧିରେ ଧିରେ ଚାଷର ପ୍ରଣାଳୀ ବଦଳିଲା। ଭୂମିହୀନ ବେକାର ଯୁବକମାନଙ୍କୁ ସେ ରାସ୍ତା ସଫେଇ, ବୃକ୍ଷାରୋପଣ, ନାଳ ଖୋଳି ଜମିକୁ ପାଣିଦେବା ଆଦି କାମରେ ଲଗେଇ ଦେଉଥିଲେ। ତାଙ୍କୁ ଦେଖି ଆଖପାଖ ଗାଁର ଯୁବକମାନେ ମଧ୍ୟ ଗ୍ରାମ ଉନତିମୂଳକ କାର୍ଯ୍ୟରେ ଲାଗିପଡିଲେ। ଲକ୍ଷ୍ମଣଙ୍କର ଲୋକପ୍ରିୟତା ଗାଁକୁ ଗାଁ ବ୍ୟାପିବାରେ ଲାଗିଲା।
ଉତ୍କଳ ପ୍ରଦେଶ କଂଗ୍ରେସ ସଭାପତି ଗୋପବନ୍ଧୁ ଚୌଧୁରୀ କେତେକ କଗ୍ରେସକର୍ମୀଙ୍କୁ କୋରାପୁଟରେ ଚରଖା ଜରିଆରେ ଖଦିର ପ୍ରସାର କରିବାକୁ ପଠେଇଥିଲେ। କପାଚାଷ, ସୂତାକଟା, ଲୁଗାବୁଣା ଆଦି ପରେ ଖଦି ଦୋକାନ ଖୋଲିଗଲା। ସରକାରୀ ଚାକିରିଛାଡି ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିବା ଯୁବକମାନଙ୍କ ମଧ୍ୟରେ ଜୟପୁରର ରାଧାକୃଷ୍ଣ ବିଶ୍ଵାସ ରାୟ ଥିଲେ ଅଗ୍ରଣୀ। ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶର ପ୍ରଥମ ଲାଟ ସାର ଜନ୍ ହବାକ୍ କାର୍ଯ୍ୟଭାର ଗ୍ରହଣ କଲାପରେ କୋରାପୁଟ ଗସ୍ତରେ ଆସିଲେ। ତାଙ୍କ ଚର୍ଚ୍ଚାପାଇଁ ଲୋକଙ୍କ ଉପରେ ଜୋରଜୁଲମ୍ କରି ଖାଦ୍ୟ ଓ ବିଳାସ ସାମଗ୍ରୀ ଅଣାଗଲା। ନିରୁପାୟ ଲକ୍ଷ୍ମଣ ଆଉ ଲୋକଙ୍କୁ ମୁହଁ ଦେଖେଇବାକୁ ସାହସ କରିପାରିଲେ ନାହିଁ। ବନ୍ଧୁ ନୀଳକଣ୍ଠ ପାତ୍ରଙ୍କ ସହ ସେ ତତ୍କାଳୀନ କଂଗ୍ରେସମୁଖ୍ୟ ବିଶ୍ଵାସ ରାୟଙ୍କୁ ଦୁଃଖ ଜଣାଇଲେ ଓ ତାହା ଲିପିବଦ୍ଧ ହୋଇ ସମାଜରେ ପ୍ରକାଶିତ ହେଲା। ସାରାପ୍ରଦେଶରେ ଚହଳ ପଡିଗଲା. ବଡଲାଟଙ୍କ ସମ୍ମାନରେ ଆଞ୍ଚ ଆସିବାରୁ ତଦନ୍ତ ହେଲା ଓ ସତ୍ୟ ପ୍ରମାଣିତ ହେବାରୁ ଲୋକଙ୍କୁ କ୍ଷତିପୁରଣ ଦିଆଗଲା। ଏହା ଥିଲା ଲକ୍ଷ୍ମଣଙ୍କ ଜୀବନର ଏକ ଗୁରୁତ୍ତ୍ଵପୁର୍ଣ୍ଣ ସଫଳତା।
କଂଗ୍ରେସର ଅନ୍ୟତମ ନେତା ଶ୍ରୀରାଧାମୋହନ ସାହୁଙ୍କ ଆହ୍ଵାନରେ ନୀଳକଣ୍ଠ ପାତ୍ରଙ୍କ ଘରେ ଅନୁଷ୍ଠିତ ସମ୍ମିଳନୀରେ ବିଶିଷ୍ଟ ନାୟକ ଓ ମୁସ୍ତାଦାରମାନେ ଯୋଗ ଦେଲେ। ସେ ସଭାରେ ଲକ୍ଷ୍ମଣ ଉପସ୍ଥିତ ଥିଲେ ଓ ଶ୍ରୀ ସାହୁଙ୍କର ଭାଷଣ ତାଙ୍କ ହୃଦୟ ସ୍ପର୍ଶ କରିଥିଲା। ପ୍ରସଙ୍ଗକ୍ରମେ ଶ୍ରୀସାହୁ କହିଥିଲେ “ଘରେ ଚୋର ପଶିଥିଲା ବେଳେ ଆମେ ନିଶ୍ଚିନ୍ତରେ ଶୋଇବା ଉଚିତ କି? ଭାରତଭୁମିରୁ ବ୍ରିଟିଶ ଶାସନ ନଯିବା ଯାଏଁ ବିରୋଧ କରିବା। ଆମ ନେତା ମହାତ୍ମା ଗାନ୍ଧୀ. ଏକାଠି ଆମେ ଅନ୍ୟାୟକୁ ବିରୋଧ କରିବା ହେଲେ ଅହିଂସା ବଳରେ.” ଲକ୍ଷ୍ମଣ କଂଗ୍ରେସରେ ଅନୁପ୍ରାଣିତ ହୋଇ ଶପଥ ନେଇଥିଲେ ଓ ଚାରଣିଟିଏ ଦେଇ ସଦସ୍ୟ ହେଇଥିଲେ। ଖଦଡ ପିନ୍ଧି ରାମଧୁନ୍ ଗାଇଥିଲେ।
ତାଲିମ୍ କେନ୍ଦ୍ର
ନୁଆପୁଟ ତାଲିମ କେନ୍ଦ୍ରରୁ ଲକ୍ଷ୍ମଣ ୪୦୦ ନୂଆ କର୍ମୀଙ୍କ ସହ ଶାରୀରିକ ଓ ମାନସିକ ଶକ୍ତି ଅଭିବୃଦ୍ଧି ପାଇ ତାଲିମ ନେଲେ। ଓଡିଶାର ତୁଙ୍ଗନେତାମାନେ ସେଠି ଆସି ଦେଉଥିଲେ। ତାଲିମ ପୁର୍ଣ୍ଣ ହେବା ପରେ ଲକ୍ଷ୍ମଣ ଏକ ନୁଆ ମଣିଷ ରୁପେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଲେ। ଓଡିଶାର ରାଜଧାନୀରୁ ବିଶିଷ୍ଟ ରାଜନୀତିଜ୍ଞ ବିଶ୍ଵନାଥ ଦାଶ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ ଓ ଗୋଦାବରିଶ ମିଶ୍ର ପ୍ରମୁଖ “କାଟି ପିନ୍ଧ, କୁଟି ଖାଅ”, “ତକଲି ମୁନରେ ସ୍ଵାଧୀନତା ଆସିବ”, ଚରଖା ହେଉଚି ସୁଦର୍ଶନ ଚକ୍ର”, “ସତ୍ୟ ହିଁ ଭଗବାନ” ଆଦି ସ୍ଳୋଗାନ ଦ୍ଵାରା ଗାନ୍ଧୀଜିଙ୍କ ବ୍ରତମାନି ଆଗେଇ ଯିବାକୁ ଉପଦେଶ ଦେଉଥିଲେ। ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ମୀ ମାନେ ଗାଁ ଗାଁ ବୁଲି କଂଗ୍ରେସର ନୀତି ପ୍ରଚାର କଲେ। ଗାଁ ଗାଁ ରେ କପା ଚାଷ ହେଲା, ଚରଖା ଚାଲିଲା, ଲୋକେ ବିଦେଶୀ ଲୁଗା ବର୍ଜନ କଲେ, ପଶୁବଳି ବନ୍ଦ ହେଲା, କର ବା ଶିସ୍ତୁ ବା ପାନୁ ଦେବାକୁ ଲୋକେ ରୋକଠୋକ ମନା କଲେ।
ଲକ୍ଷ୍ମଣ ଖୁବ ନିରାଡ଼ମ୍ବର ଜୀବନଯାପନ କରୁଥିଲେ। ରାମଧୁନ ଗାଇ ସାରିବା ପରେ ସେ କିଛି ଭାତ ଓ ପେଜ ଟିକିଏ ଲୁଣ ଓ ତେନ୍ତୁଳି ସହ ଖାଉ ଥିଲେ। ସେ ଖାଦ୍ୟକୁ ଗେଞି କୁହାଯାଏ। ଖାଲି ଭୁଇଁରେ ବା ନଡାଉପରେ ଶୋଉଥିଲେ। ଇଂରେଜ ସରକାରଙ୍କ ଶକ୍ତିକୁ ଚୁର୍ଣ୍ଣ କରିବାକୁ ତ୍ୟାଗ ଓ ଅହିଂସା ଥିଲା ଏକମାତ୍ର ମନ୍ତ୍ର।
ହାତରେ ତିରଙ୍ଗା ଧରି ସ୍ଵାଧୀନତାର ବାର୍ତ୍ତା ପ୍ରଚାର କରିବା ପାଇଁ ଲକ୍ଷ୍ମଣ ଦୈନିକ ୪୦-୪୫ କିମି ଚାଲୁଥିଲେ। ଯେଉଁଠି ରାତି ହୋଇଯାଥିଲା ସେଇଠି କାହାରି ଘରେ ଖାଇ ତାଙ୍କ ପିଣ୍ଡାରେ ଶୋଇ ପଡୁଥିଲେ। କଂଗ୍ରେସର ପ୍ରଚାର ସହ ଲୋକମାନଙ୍କର ସମସ୍ୟାର ମଧ୍ୟ ସମାଧାନ କରୁଥିଲେ। ତେଣୁ ଧିରେ ଧିରେ ସେ ଗାଁ ମାନଙ୍କରେ ଏକ ଜଣାଶୁଣା ନାଁ ହୋଇଗଲେ। ଗାନ୍ଧୀଜିଙ୍କ କଥା ମାନି କର ନ ଦେବାକୁ, ବେଠି ନ ଖଟିବାକୁ ପରାମର୍ଶ ଦେଉଥିଲେ। ଜଣେ କଲେ ସିନା ପୁଲିସ ଜୁଲମ କରିବ ହେଲେ ସମସ୍ତେ ଏକ ସମୟରେ କଲେ ଇଂରେଜମାନେ ଦେଶ ଛାଡି ଚାଲିଯିବେ ବୋଲି କହୁଥିଲେ।
ମାତିଲି ସତ୍ୟାଗ୍ରହ
ସରକାର ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବୋଲି ଘୋଷଣା କଲେ, ତାଙ୍କର ୮୦ଏକର ଜମି ଫେରେଇ ନେଲେ ତଥା ମୁସ୍ତାଦାର ପଦରୁ ବହିଷ୍କାର କଲେ। ଫଳରେ ତାଙ୍କର ଅନୁଷ୍ଠାନରେ ସମ୍ମାନ ବଢିଲା ଓ ସେ ହେଲେ ଓଡିଶାର ଜଣେ ବୀର ବିପ୍ଳବୀ। ସେ ସମୟରେ ଦ୍ଵୀତିୟ ବିଶ୍ଵଯୁଦ୍ଧ ଚାଲିଥାଏ, ଏଣେ ଭାରତରେ ସ୍ଵାଧୀନତା ସଂଗ୍ରାମ ଚାଲିଥାଏ। ସ୍ଥିର ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ ଚାଲିବ। ଜୟପୁରରୁ ଶ୍ରୀ ରାଧାକୃଷ୍ଣ ବିଶ୍ଵାସ ରାୟ, ରାଧାମୋହନ ସାହୁ, ନୀଳକଣ୍ଠ ପାତ୍ର, ନବରଙ୍ଗପୁରରୁ ସଦାଶିବ ତ୍ରିପାଠୀ, ସଦାନନ୍ଦ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ଦାସ, କୋଟପାଡରୁ ଶ୍ରୀ ସୁର୍ଯ୍ୟନାରାୟଣ ମାଛି, ଶ୍ରୀ କପିଳ ପାତ୍ର ତଥା ମାତିଲିରୁ ଲକ୍ଷ୍ମଣଙ୍କୁ ମନୋନୀତ କରାଗଲା। ସତ୍ୟାଗ୍ରହ ଚାଲିଲା, ମାତିଲିରେ ଲକ୍ଷ୍ମଣଙ୍କୁ ଗିରଫ କରାଗଲା। କୋରାପୁଟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ବହୁତ କର୍ମୀ ଜେଲରେ ବନ୍ଦ ହେଲେ। କିଛି ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁ ମୃତ୍ୟୁବରଣ କଲେ। ପାଞ୍ଚମାସ ପରେ ସମସ୍ତେ ଖଲାସ ହେଲେ। ହେଲେ ପୁଲିସର ଅତ୍ୟାଚାର ବଢିବାରେ ଲାଗିଲା।
୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ବମ୍ବେ କଂଗ୍ରେସ ଅଧିବେଶନରେ ଗାନ୍ଧୀଜି “କର ବା ମର” ସ୍ଳୋଗନ ଦେଇ ଆନ୍ଦୋଳନ ତିବ୍ର କରିବାକୁ ପରାମର୍ଶ ଦେଲେ। ସେଦିନ ରାତିରେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷିତ କରାଗଲା, ତା ପରଦିନ ସକଳୁ ଗାନ୍ଧୀ, ନେହେରୁ, ପଟେଲ ଆଦି ଜେଲବରଣ କଲେ। ପୋଲିସ ମଧ୍ୟ ବିଶେଷ ତତ୍ପର ହୋଇ କଂଗ୍ରେସ ପ୍ରଚାରର ମୁଖ୍ୟକେନ୍ଦ୍ର ଖଦିଭଣ୍ଡାର ପ୍ରତି ନଜର ରଖିଲେ। ପରିଚାଳକ କୋରା ପ୍ରସାଦ ପଟ୍ଟନାୟକ ନିରୁପାୟ, କାରଣ କିଛି ଖବର ଆସି ପାରୁ ନଥାଏ ବମ୍ବେରୁ। ସେ ସେମୟରେ ଜଣେ କୁଣ୍ଡା ବସ୍ତାଏ ଆଣି ରଖି ଦେଇଗଲା, ପୋଲିସଙ୍କର ସନ୍ଦେହ ହେବାରୁ ହାତ ପୁରେଇ ଦେଖିଲେ ହେଲେ କୁଣ୍ଡା ଦେଖି ଛାଡ଼ିଦେଲେ। ପରେ କୃଷ୍ଣଚନ୍ଦ୍ର ଦାସଙ୍କ ଘରେ ଖୋଲା ହେବାରୁ ସେଥିରେ ବମ୍ବେରୁ ଆସିଥିବା ଖବରର କାଗଜପତ୍ରର ନଥି ପାଇଲେ। ତାର ନକଲମାନ ମୁଖ୍ୟ କେନ୍ଦ୍ରମାନଙ୍କୁ ପଠାଯାଇ ଅଗଷ୍ଟ ୨୧କୁ ନୀରବ ଶୋଭାଯାତ୍ରା ଓ ସରକାରି ଅଫିସ ଆଗରେ ସତ୍ୟାଗ୍ରହ ପାଇଁ ଦିନ ଧାର୍ଯ୍ୟ ହେଲା।
ଅଗଷ୍ଟ ୨୧ ତାରିଖ ଦିନ ଲକ୍ଷ୍ମଣଙ୍କ ନେତୃତ୍ଵରେ “ବନ୍ଦେ ମାତରମ ଧ୍ଵନିରେ ପ୍ରକମ୍ପିତ କରି ଜନସମୁଦ୍ର ମାଡି ଆସୁଥାଏ, ଏଣେ ଥାନରେ ବନ୍ଧୁଅଧରୀ ପୋଲିସ ଜଗି ରହିଥାନ୍ତି। ସବ୍ ଇନିସ୍ପେକ୍ଟର ଜଗାନାଇକୁଲୁ ଦୋରାଙ୍କ ଅଧୀନରେ ଥାନା ଚାରିପାଖରେ ଜଙ୍ଗଲରକ୍ଷୀ, ଅବକାରୀ ପୋଲିସ ଲାଠିଧରି ଠିଆ ହୋଇଥାନ୍ତି। ଥାନା ନିକଟ ହେବାକ୍ଷଣି ଏ ସମାବେଶ ବେଆଇନ ବୋଲି ଘୋଷଣା କରି ଫେରିଯିବାକୁ କୁହାଗଲା। ହେଲେ ଲକ୍ଷ୍ମଣ ପଛକୁ ଫେରିବାକୁ ରାଜି ହେଲେ ନାହି, ତେଣୁ ପୋଲିସ ଲାଠିଚାଳନା କଲା। ଥାନା ଅଫିସରଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣଙ୍କୁ ଧରିନେଇ ଖୁବ୍ ମାଡ଼ ମରାଗଲା, ଦୁଇଜଣ ପୋଲିସ ତାଙ୍କ ନିଶ ଉପାଡ଼ି ସେଥିରେ ନିଆଁ ଲଗେଇଦେଲେ। କର୍ମୀମାନେ ବାଡଡେଇଁ ଭିତରେ ପଶି କର୍ମଚାରୀଙ୍କୁ ମାଡ଼ ମାରିବାରୁ ପୋଲିସ ଫାଙ୍କା ଗୁଳିଚାଳନା କଲେ। ହେଲେ ବାରଣ ନ ମାନି ଟିମସଗୁଡିଆର ଲିଙ୍ଗ ଭୁମିଆ ତିରଙ୍ଗା ପତକା ଧରି ଥାନା ଛାତ ଉପରକୁ ଉଠିଲା। ଥାନା ଛାତରେ ପତକା ଉଡିବା ପୁର୍ବରୁ ପୋଲିସର ଗୁଳି ତାଙ୍କ ମୁଣ୍ଡରେ ବାଜିଲା, ସେ ପତକା ସହ ତଳେ ଖସିପଡିଲେ। ସଙ୍ଗେ ସଙ୍ଗେ ସରଗିଗୁଡାର ନକୁଳ ମାଡ଼କାମୀ ସେଇ ପତକା ନେଇ ଛାତ ଉପରକୁ ଚଢୁଥିବାବେଳେ ପୋଲିସ ଗୁଳି ତାଙ୍କ ଛତିରେ ବାଜିଲା, ସେ ଟଳି ପଡିଲେ। ଘନଘନ ଗୁଳିଚାଳନା ହେବାରୁ ଶହଶହ ଲୋକ ଟଳି ପଡିଲେ ଥାନା ସାମ୍ନା ରାସ୍ତାଘାଟରେ। ଶହୀଦମାନଙ୍କ ରକ୍ତରେ ରଞିତ ହୋଇଗଲା ମାଟି। ଜଣେ ପୋଲିସ ଲକ୍ଷ୍ମଣଙ୍କ ମୁହଁକୁ ବନ୍ଧୁକର ବୟୋନେଟରେ ଆଘାତ କଲା, ସେ ମରିଗଲେ ବୋଲି ମନେକରି ତାଙ୍କୁ ଏକ ନର୍ଦ୍ଦମାରେ ଫୋପାଡି ଚାଲିଗଲେ। ଗୁଳିଗୋଳା ବିନିମୟ ଭିତରେ ଜି ରାମାୟା ବୋଲି ଜଣେ ଫରେଷ୍ଟ ଗାର୍ଡର ମୃତ୍ୟୁ ହୋଇଥିଲା, ଡାକ୍ତର ଜନତା ଉତ୍ୟକ୍ତ ହୋଇ ମାରିଦେଲେ ବୋଲି ରିପୋର୍ଟ ଦେଲେ। ଡାକ୍ତରଖାନରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ନରସିଂହ ଡମ୍ବ ଓ ଅର୍ଜୁନ କୁଟିଆଙ୍କ ଠାରୁ ପୋଲିସ ଜମାନବନ୍ଦୀ ଲେଖେଇନେଲେ ଯେ କର୍ମୀମାନେ ମାତିଲି ଥାନା ପୋଡିବାକୁ ଆସିଥିଲେ।
ରାତିରେ ବର୍ଷା ହେବାରୁ ଲକ୍ଷ୍ମଣ ଚେତନା ଫେରି ପାଇଲେ। ଜଙ୍ଗଲର ଚେରମୁଳି ଔଷଧ ଲଗେଇ ସେ ଚାଲିଲେ ଜୟପୁର ବଲଭଦ୍ର ପୂଜାରୀଙ୍କ ଠାରୁ ଅନ୍ୟାନ୍ୟ ଅଞ୍ଚଳର ସତ୍ୟାଗ୍ରହ ବିଷୟରେ ଖବର ସଂଗ୍ରହ କରିବାକୁ ତଥା ପରବର୍ତ୍ତୀ ପଦକ୍ଷେପ ବିଷୟରେ ଜାଣିବାକୁ। ସେଠି ସେ ଜାଣିବାକୁ ପାଇଲେ ଯେ ଜି. ରାମାୟାକୁ ହତ୍ୟା କରିଥିବା ଅଭିଯୋଗରେ ସରକାର ତାଙ୍କୁ ଖୋଜୁଛନ୍ତି। ଲକ୍ଷ୍ମଣଙ୍କ ମନ ବିଷର୍ଣ୍ଣ ହୋଇଗଲା, ସେ ୨୮ ତାରିଖ ଦିନ ଘରେ ପହଞ୍ଚି କିଛିଦିନ କର୍ମୀମାନଙ୍କୁ ଆତ୍ମଗୋପନ କରିବାକୁ କହିଲେ। ସେପ୍ଟେମ୍ବର ମାସ ୨ ତାରିଖ ଦିନ ସକାଳ ନିତ୍ୟକର୍ମ ସାରି ଚରଖା ଚଳେଇବାକୁ ବସିଛନ୍ତି, ଏହି ସମୟରେ କେହି ଜଣେ ଖବର ଦେଲା ଗାଁ ଚାରିପାଖେ ପୋଲିସ। କିଛି ସମୟ ଭିତରେ ପୋଲିସ ଲକ୍ଷ୍ମଣ ଓ ତାଙ୍କର ୧୦ ସାଥୀଙ୍କୁ ଗିରଫ କଲେ। ଏପରିକି ତାଙ୍କ ନାବାଳକ ପୁଅ ରଘୁନାଥକୁ ମଧ୍ୟ ଦଉଡିରେ ବାନ୍ଧି ନେଇଗଲେ।
ବଳିଦାନ
୧୯୪୪ ମସିହା ମର୍ଚ୍ଚ ୨୯ ତାରିଖ ଦିନ ଲକ୍ଷ୍ମଣଙ୍କୁ ଫାସି ଦିଆଯିବ ବୋଲି ବିଚାର ହେଲା। ଜେଲରେ ଥିବା ତାଙ୍କର ସହକର୍ମୀମାନେ ମଧ୍ୟ ଆତ୍ମାହୁତି ଦେବେ ବୋଲି ସ୍ଥିର କଲେ। କିନ୍ତୁ ଶ୍ରୀ ସଦାଶିବ ତ୍ରିପାଠୀ, ବିଶ୍ଵାସ ରାୟ, ରାଧାମୋହନ ଆଦି ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ। ଲକ୍ଷ୍ମଣଙ୍କର ଇଚ୍ଛା ଥିଲା ମରିବା ଆଗରୁ କଂଗ୍ରେସର ନେତୃବୃନ୍ଦଙ୍କୁ ଥରେ ଦେଖିବା ପାଇଁ ହେଲେ ସମସ୍ତେ ଦୁଃଖରେ ମ୍ରିଯମାଣ ହୋଇ ମନା କରିଦେଲେ। କେବଳ ସଦାଶିବ ତ୍ରିପାଠୀ କୋହକୁ ଚାପି ଗଲେ ସାଥୀ ଲକ୍ଷ୍ମଣଙ୍କୁ ଭେଟିବାକୁ।
ଲକ୍ଷ୍ମଣ ଆଣ୍ଠମାଡି ବସିଥାନ୍ତି, ମନରେ ଭୟ କିମ୍ବା ଆଶଙ୍କା ନଥାଏ, ମୁହଁରେ ଥାଏ ରାମଧୁନ।
ସଦାଶିବ କହିଲେ ଲକ୍ଷ୍ମଣ, କିଛି କହିବ?
ନୀରବରେ ମୁଣ୍ଡ ଉଠାଇ ଏବଂ ଠିଆହୋଇ ସେ ସଦାଶିବଙ୍କୁ ପ୍ରଣାମ କଲେ।
– “କିଛି କହିବ?”
– “କଣ ଆଉ କହିବି? ମୋର ତ ଶହ ଶହ ଭାଇ ମଲେ, କେତେ ଜେଲରେ ସଢୁଛନ୍ତି। ମୋ ଦେଶ ମାର ଆଖିରେ ଲୁହ. ତା ମୁହଁରେ ହସ ଦେଖିବାର ସୌଭାଗ୍ୟ ମୋର ନାହିଁ। ଆମେ ଯେଉ ସ୍ଵରାଜ୍ୟ ପାଇ ଲଢୁଛେ, ତାହା ମୁଁ ଦେଖି ନ ପାରି ଚାଲିଯାଉଥିବାରୁ ମୋ ମନରେ ଦୁଃଖ ହେଉଛି।”
– “ତୁମ ଘରକୁ କିଛି ଖବର ଦେବ?”
– “ନା କେବଳ ଏତିକି, ମୋ ପୁଅଝିଅଙ୍କୁ ବିଭା କରେଇଦେବ। ସେମାନଙ୍କ ପାଇଁ ମୁଁ କିଛି କରିନାହିଁ।”
“ଧନ୍ୟ ତୁମେ ଲକ୍ଷ୍ମଣ, ଧନ୍ୟ ତୁମର ମହାନତା” – କହି ସଦାଶିବ ତ୍ରିପାଠୀ କାନ୍ଦି କାନ୍ଦି ଫେରିଆସିଲେ।
ଲକ୍ଷ୍ମଣ ନାୟକଙ୍କୁ ୧୯୪୪ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ଫାଶୀ ଖୁଣ୍ଟରେ ଝୁଲେଇ ଦିଆଗଲା। ଭାରତମାତାର ଏକ ଯୋଗ୍ୟ ସନ୍ତାନ ସେଦିନ ଶହୀଦ ହୋଇ ଇତିହାସରେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଗଲା।