ଘରର ସବୁଠାରୁ ସାନବୋହୁ ଥିଲେ ପ୍ରମିଳା ଖୁଡି। ଭାରି ମେଳାପିଆ ପ୍ରକୃତିର ହୋଇଥିବାରୁ ଖୁବ୍ ଶୀଘ୍ର ସମସ୍ତଙ୍କ ସାଙ୍ଗରେ ମିଶି ଯାଇଥାନ୍ତି। ଘନକକେଇ ସୁନ୍ଦରଗଡରେ ଚାକିରି କରନ୍ତି, ତେଣୁ ମାସରେ ଥରେ ଆସନ୍ତି ଗାଁକୁ। ରୋଜଗାର ଅଧିକ ନଥିବାରୁ ଖୁଡି କକେଇଙ୍କ ସାଙ୍ଗରେ ଯାଇ ପାରୁ ନଥାନ୍ତି। ତେଣୁ ବଡଯାଆ ନଣନ୍ଦମାନଙ୍କ ସହ ଗାଁରେ ରୁହନ୍ତି। ମିଳିମିଶି ଆଠଦଶ ପ୍ରାଣୀ କୁଟୁମ୍ବ ଖୁସିରେ ଥାନ୍ତି।
ସଂସାରର ନିୟମ ସୁଖ ଥିଲେ ଦୁଃଖ ବି ଆସେ। ବାହାଘରର ୨ବର୍ଷ ପରେ ବି ଛୁଆପିଲା ନ ହେବାରୁ ପ୍ରମିଳା ଖୁଡି ଉପରେ ଚାପ ବଢି ଚାଲିଲା। ଯେଉଁ ଶାଶୁ ତାଙ୍କ ପ୍ରଶଂସା ନକରି ରହି ପାରୁ ନଥିଲେ ସିଏ କଥାକଥାରେ ଖୁଣ୍ଟା ଦେବାକୁ ଆରମ୍ଭ କରିଦେଲେ। ସାଇପଡିଶା ଲୋକଙ୍କୁ ସୁଯୋଗ ଦରକାର ଥିଲା, ତେଣୁ ସେମାନେ ବି କାହିଁକି ଛାଡିବେ? ଦେଖୁଦେଖୁ ହସଖୁସିରେ ଚଳୁଥିବା ପରିବାରର ବାତାବରଣ ଖରାପ ହେବାକୁ ଲାଗିଲା। କକେଇ ବି କେବେ ଗାଁକୁ ଆସିଲେ ନିଜ ଘରଲୋକଙ୍କ ସହ ମିଶି ପ୍ରମିଳା ଖୁଡିଙ୍କୁ ଖୁଣ୍ଟା ଦିଅନ୍ତି। ସବୁବେଳେ ହସହସ ମୁହଁବାଲି ଖୁଡି ଧିରେ ଧିରେ ମାନସିକ ଯନ୍ତ୍ରଣା ଯୋଗୁଁ ମୁହଁ ଶୁଖେଇ ରହୁଥାନ୍ତି।
ସରୋଜ ସେଦିନ କଲେଜ ଛୁଟିରେ ଗାଁକୁ ଆସିଥାଏ। ସଞବେଳେ ପାଖ ଖଞାରୁ ବଡବାପାଙ୍କ ବଡପାଟିରେ କଥା ହେବାର ଶୁଣି ଧାଇଁଲା କଥା କଣ ବୁଝିବା ପାଇଁ। ଦେଖିଲା ବେଳକୁ ବଡବାପାଙ୍କ ଘରେ ସବୁ ମୁରବିମାନେ ବସିଥାନ୍ତି। ପରିସ୍ଥିତି ଗମ୍ଭୀର ଲାଗୁଥାଏ, ତେଣୁ କାନ୍ଥକୁ ଆଉଜି ଠିଆ ହେଲା ସରୋଜ।
କିଛି ସମୟ ଭିତରେ ସବୁକଥା ପରିସ୍କାର ହେଇଗଲା। ମୁରବିମାନେ ସ୍ଥିର କରିଥାନ୍ତି ପ୍ରମିଳା ଖୁଡିଙ୍କୁ ତାଙ୍କ ବାପଘରକୁ ପଠେଇ ଦେବେ। ସେଠି ଡାକ୍ତର ପରାମର୍ଶ କରି ଚିକିତ୍ସା ଦ୍ୱାରା ସମସ୍ୟାର ସମାଧାନ କରିବେ ନହେଲେ ଶାଶୁଘରକୁ ଫେରିବେ ନାହିଁ। ରୋକଠୋକ ଭାବରେ କଥାଟି କହିବାପରେ ବଡବାପା ସମସ୍ତଙ୍କ ମୁହଁକୁ ଚାହିଁଲେ ଉତ୍ତର ଅପେକ୍ଷାରେ। ହେଲେ କାହାରି ସାହସ ନଥାଏ ତାଙ୍କ କଥା କାଟିବାକୁ। ଘନକକେଇ ବି ଚୁପ ହୋଇ ବସିଥାନ୍ତି ପ୍ରସ୍ତାବର ସମର୍ଥନରେ। ରୋଷେଇଘର ପାଖରେ ଓଢଣି ଟାଣି ଚୁପଚାପ ବସିଥାନ୍ତି ପ୍ରମିଳା ଖୁଡି, ମୁହଁ ଶୁଖେଇ। ଘରର ବାକି ମହିଳାମାନେ ବି କିଛି କହୁନଥାନ୍ତି।
ସରୋଜ ଆଉ ରହି ପାରିଲା ନାହିଁ। ତା ମୁହଁରୁ ବାହାରି ଗଲା “ଡାକ୍ତରୀ ଯାଞ୍ଚ ଯଦି ଖୁଡିଙ୍କର ହେବ ତାହେଲେ କକେଇଙ୍କର କାହିଁକି ହେବନାହିଁ?” ବଡବାପା ବୋଧେ ବିଶ୍ୱାସ କରି ପାରିଲେ ନାହିଁ ଯେ ସରୋଜ କହିଲା ଏକଥା। ସମସ୍ତେ ତା ମୁହଁକୁ ଚାହିଁଲେ ହତବାକ ହୋଇ। “କଣ କହିଲୁ ସରୋଜ?” ସରୋଜ ପୁଣିଥରେ କହିଲା କକେଇଙ୍କର ଡାକ୍ତର ଯାଞ୍ଚ କଥା। ବୁଢୀମା ଏକଥା ଶୁଣି ତାଗିଦ କରି କହି ଉଠିଲା “ବଡବାପାଙ୍କୁ ଜବାବ ଦଉଛୁ ସରୋଜ?”।
“ଯାହା ମୋତେ ଯୁକ୍ତିସଙ୍ଗତ ଲାଗିଲା ମୁଁ କହିଲି ବୁଢୀମା! ବର୍ଷେ ହେଇଗଲା ଘରର ସବୁଲୋକ ପ୍ରମିଳା ପ୍ରମିଳା କହି ପାଣି ପିଉ ନଥିଲେ। ଗୁଣ ବଖାଣୁ ବଖାଣୁ ବେଳ ସରୁ ନଥିଲା। ଆଜି ଯେହେତୁ ଗୋଟିଏ ଅସୁବିଧା ଅଛି, ତେଣୁ ସମସ୍ତେ ତାଙ୍କୁ ଦୋଷ ଦେଉଛ। ମାନୁଛି କିଛି ଅସୁବିଧା ଥାଇପାରେ। ହେଲେ କକେଇଙ୍କର ବି ସେମିତି କିଛି ଖୁଣ ଥିବାର ସମପରିମାଣରେ ସମ୍ଭାବନା ଅଛି। ତେଣୁ ଡାକ୍ତରୀ ପରୀକ୍ଷା ଉଭୟଙ୍କର ହେବା ଉଚିତ୍। ଖାଲି ଖୁଡିଙ୍କୁ ଦୋଷ ଦେବା ଠିକ୍ କଥା ନୁହେଁ।” ଏକା ନିଃଶ୍ବାସରେ କହିଗଲା ସରୋଜ।
ଘଟଣା ଦେଖି ତା ବାପା ତାକୁ ସେଠୁ ଭିଡି ନେଲେ ବାହାରକୁ।ହେଲେ ଗଲାବେଳେ ସରୋଜ ସମସ୍ତଙ୍କ ମୁହଁକୁ ଥରୁଟିଏ ଅନେଇଲା। ଜେଜେମା ଓ ବଡବାପାଙ୍କ ମୁହଁ ଗମ୍ଭୀର ଦିଶୁଥାଏ, ତାଙ୍କ ଇଗୋ ଉପରେ ଆଞ୍ଚ ଆସିଥିବାରୁ। ଘନକକେଇଙ୍କ ମୁହଁରେ ଗ୍ଲାନି ସ୍ପଷ୍ଟ ଦିଶୁଥାଏ। ପ୍ରମିଳା ଖୁଡିଙ୍କ ଆଖି ଟଳମଳ ହେଉଥାଏ ଲୁହରେ, ଖୁସିର ଲୁହରେ। ଘରର ଅନ୍ୟ ସଦସ୍ୟ ଚୁପ୍ ହୋଇ ବସିଥାନ୍ତି।
ଖଞାରୁ ବାହାରକୁ ଆସିବାପରେ ସରୋଜ ବାପାଙ୍କ ମୁହଁକୁ ଚାହିଁଲା। ତାଙ୍କ ମୁହଁଟା ଉଜ୍ଜ୍ୱଳ ଦିଶୁଥାଏ, ବୋଧେ ଗର୍ବରେ। ମନେମନେ ବୋଧେ ସେ ଜାଣିଥିଲେ ଅନ୍ୟାୟ ହେଉଛି ବୋଲି, କିନ୍ତୁ ବଡଭାଇଙ୍କୁ କହିବାର ସାହସ ନଥିଲା। ବୋଧେ ସରୋଜ ମୁହଁରୁ ତାଙ୍କ ଭାବନା ପ୍ରକାଶିତ ହେଇଥିଲା, ତେଣୁ ଗର୍ବ ଅନୁଭବ କରୁଥିଲେ ବାପା।
Reblogged this on ଆମ ଭାଷା ଓଡ଼ିଆ.
LikeLiked by 1 person
Thank you Gapu!
LikeLiked by 1 person