କଲେଜର ବୟେଜ୍ କମନ୍ ରୁମ୍। ଝରକାପାଖ ଟେବୁଲଉପରେ ତିନିଜଣ ସାଙ୍ଗ ‐ ପଖାଳଖିଆ, ଅକାଳ ଆଉ ମାଢୁୱାଳି (“ମାରୱାଡି”ର ଅପଭ୍ରଂଶ! ଗୁଇନ୍ଦାଙ୍କ ଆଖିରେ ଧୂଳି ଦବାପାଇଁ ମାରୱାଡିର ପ୍ରକୃତ ନାଁ ଗୁପ୍ତ ରଖା ଯାଇଛି।)। ସାମନାରେ ମେନ୍ ରାସ୍ତା, ଟିକେ ଆଗକୁ ଯାଇ ବାଁପଟକୁ ମୋଡି ଗଲେ କଲେଜର ସବୁଠାରୁ ପ୍ରସିଦ୍ଧ ସ୍ଥାନ ‐ ଗାର୍ଲ୍ସ୍ କମନ୍ ରୁମ୍!
ଜନ୍ମରୁ ନୁଙ୍ଗୁରା ପଖାଳଖିଆ ଅନେଇ ରହିଥାଏ ରାସ୍ତା ଉପରକୁ। ଅକାଳର ଧ୍ୟାନ ପାଖ ଟେବୁଲରେ ଖାତାଦ୍ୱାରା ଖେଳା ଯାଉଥିବା ଟି.ଟି. ମ୍ୟାଚ୍ ଉପରେ। ମାଢୁୱାଳି ଆଗାଥା କ୍ରିଷ୍ଟି ବହିର ପ୍ଲଟ୍ ଭିତରେ ମଗ୍ନ।
ପଖାଳଖିଆ (ହଠାତ୍): ବେ, ଦେଖ ବେ ଇଆଡେ।
ଅକାଳ: କଣ ହେଲା? କୋଉଠି?
(ସାମନା ରାସ୍ତାଉପରେ ସେତେବେଳେ ଜଣେ ତରୁଣୀ ତାଙ୍କ ବାନ୍ଧବୀଙ୍କ ସାଙ୍ଗେ ଚାଲୁଥାନ୍ତି।)
ପଖାଳଖିଆ: ପୁରା ମାଧୁରୀ ଦୀକ୍ଷିତ ଭଳିଆ ଚୁଟି। ଆହାଃ! କଣ ହଂସ ଭଳିଆ ଚାଲୁଛି।
ଅକାଳ: ସକାଳୁ ସକାଳୁ ଗାଧେଇକି କଲେଜ ଆସିଛି ବୋଧେ!
ପଖାଳଖିଆ (ରାଗିଯାଇ): ୟୁସଲେସ୍! ସବୁ କଣ ତୋ ଭଳିଆ ଅଗାଧୁ? ଶଃ!
ଅକାଳ: ହଉ, ତୋ ଧାରା ବିବରଣୀ କାହିଁକି ବନ୍ଦ କଲୁ?
ପଖାଳ: ହସିଲା ବେଳକୁ ପୁରା ଜୁହୀ ଚାୱଲା ବେ! ଆଉ ଦେଖ, ଏଇ ଯୋଉ ବବ୍ କଟ୍ ଚୁଟିଟା ଭାରି ମାନୁନି ୟାକୁ?
ଅକାଳ (ମାଢୁୱାଳିକୁ ଚୁପଚାପ ବସି ଥିବାର ଦେଖି): ବେ ମାଢୁୱାଳି! ୟେ ପଖାଳର ଧାରାବିବରଣୀ ଉପରେ କିଛି ବିଶେଷ ଟିପ୍ପଣୀ ଦେ।
ମାଢୁୱାଳି (ଦୀର୍ଘଶ୍ୱାସ ନେଇ): ପଖାଳ ସତ କହୁଛି। ସେ ତରୁଣୀଜଣକ ପ୍ରକତରେ ବହୁତ ସୁନ୍ଦରୀ। ଠିକ୍ ତା ମା’ପରି।
ଅକାଳ ଓ ପଖାଳ (ଏକା ସାଙ୍ଗରେ, ଆଶ୍ଚର୍ଯ୍ୟାନ୍ୱିତ ହେଇ): ମାଢୁୱାଳି, ଶଃ ତୁ ତା ମା’କୁ କେମିତି ଜାଣିଲୁ?
ମାଢୁୱାଳି: କାରଣ ତା ମା’ ମୋର ମାଉସୀ ଆଉ ସେ ତରୁଣୀ ମୋ ମାଉସୀଝିଅ ଭଉଣୀ।
ଘଟଣାର ପ୍ରାୟ ମାସେ ପର୍ଯ୍ୟନ୍ତ ପଖାଳଖିଆ ମାଢୁୱାଳିକୁ ମୁହଁ ଦେଖେଇ ପାରିଲା ନାହିଁ।