ବୟାଅଜାଙ୍କ ଭୋଜିଖିଆ

ବୟାଅଜାଙ୍କ ପରିଚୟ ଦେବା ତ ଦରକାର ନାହିଁ ବୋଧେ। ଯେଉଁମାନେ ୟେ ନାଁଟି ନୂଆ ଶୁଣୁଛନ୍ତି, ନିମ୍ନଲିଖିତ ବ୍ଳଗଟି ପଢିଲେ ଜାଣିପାରିବେ।

http://wp.me/p5R5RE-1v

ସିଧାସିଧା ପଏଣ୍ଟକୁ ଆସୁଛି!

ବାହାଘରିଆ ସିଜିନ ଗରମ ହେଲେ ବୟାଅଜାଙ୍କର ଦର୍ଶନ ମିଳିବା ଦୁର୍ଲଭ ହୋଇଯାଏ। ଆମ ବୁନୁଆର ଚୁଳ ପଡିବ ବୋଲି ନିମନ୍ତ୍ରଣ କରିବାକୁ ଯାଇଥିଲି କିଛିଦିନ ତଳେ। ବୁଢା ଗୁଡାଖୁ ଘଷୁଥାଏ ଆଉ କେନାଲବନ୍ଧ ଆଡକୁ ଯିବାପାଇଁ ପ୍ରସ୍ତୁତ ହେଉଥାଏ। ବର୍ଷରେ ବାରମାସ ବୁଢା ସଞବେଳା ପାଇଖାନା କାମଟି କେନାଲ କୂଳରେ ସାରି ଗାଧୋଇ ପାଧେଇ ଫେରେ। ସେଦିନ ମୋ ଭାଗ୍ୟ ଭଲ ଅଜା ଗୁଡାଖୁ ନେଇ ସେଇ ସାଙ୍ଗେ ସାଙ୍ଗେ ପିଣ୍ତାଉପରକୁ ଆସିଥାନ୍ତି।
“ଅଜା, କୁଆଡେ ଯାଇଥିଲ କି? କଣ ଦେଖା ନଥିଲା? ବାହାଘରିଆ ଯାଇଥିଲ ନା କଣ?” ଟେଳେ ଗୁଡାଖୁଛେପ ପିଣ୍ଡା ତଳକୁ ପକେଇ ଦେଇ ବୁଢା କହିଲା “ହଁ, ଏଇ ପାଖ ଗାଁଁର ଶୁକୁଟା ତିଆଡି ପୁଅ ବାହାଘରରେ ଯାଇଥିଲି।”

ବୟାଅଜାଙ୍କ କଟକ ଏପିସୋଡଟା ମନେ ପଡିଯିବାରୁ ହସଟିଏ ବାହାରି ଆସିଲା! ଯାହା ହେଉ ବୁଢା ଆଖିରେ ପଡିବା ପୂର୍ବରୁ ଚାପିଦେଲି। ଗୋଟେ ଆଶୁକାହାଣୀର ଆଭାସ ହେଉଥିଲା। ମୁହଁ ଧୋଇସାରି ବୁଢା ଗପପେଡିଟି ଖୋଲି ଦେଲା।

ଶୁକୁଟାମଉସାଙ୍କ ଠାରୁ ଡାକରା ପାଇ ବୟାଅଜା ବାରିକିଆ କାମ ପାଇଁ ଯାଇଥିଲେ। ଆଜିକାଲି କେହି ପୁରୋହିତକୁ ପଚାରୁ ନାହାନ୍ତି ଯେତେବେଳେ ବାରିକକୁ କିଏ ପଚାରେ? ତଥାପି ଧର୍ମକୁ ଆଖିଠାର ମାରିଲା ପରି ପଲଟଣ ସାଙ୍ଗରେ ବାରିକ ଜଣେ ଯାଇଥିଏ। ବୟାଅଜା ଏକଥା ବେଶ୍ ବୁଝନ୍ତି, ତେଣୁ ନିଜର ପାଉଣାଗଣ୍ତାକ ଆଉ ପେଟେ ଚିକିଣିଆ ଭୋଜନ ଉପରେ ଧ୍ୟାନ ଦିଅନ୍ତି।

କନିଆଘର ବାରିପଦା, ତେଣୁ ଗୋଟେ ବସରେ ବରଯାତ୍ରୀ ଆଉ ପଛେପଛେ ବର ତଥା ଘରର ମୁରବିମାନେ ଗୋଟେ କାରରେ ବାହାରିଲେ। କଟକଯାତ୍ରା ସମୟରେ ଟ୍ରେକରରେ ହିନସ୍ତା ହବାକଥା ମନେ ପଡିିିବାରୁ ଅଜା ଯାଇ ବସ ଡ୍ରାଇଭର ପଛ ସିଟରେ ବସିଗଲେ। ଟୋକାଟାକଳିଆମାନେ ସବା ପଛରେ ବସି ନାଚତାମସା ଆରମ୍ଭ କରିଦେଲେ। ଅଜା ଆଉ ସିଆଡକୁ ନ କାନେଇ ଧୂଳିଗୁଣ୍ତି ପାନଖଣ୍ତେ କଳରେ ଜାକି ବସିଗଲେ। ଖରାଦିନ କଥା, ବସଟା ଭିତରେ ଭାରି ଗରମ ହେଉଥାଏ। ଟିକେ ହାଉଆ ଲାଗିବାରୁ ଆଖି ଲାଗିଗଲା ଯେ କେତେବେଳେ ବାଟ ସରିଗଲା ଜାଣି ହେଲାନାହିଁଁ। ବାରିପଦାରେ ଝିଅଘର ପାଖରେ ପହଞ୍ଚି ସାରିଥିଲେ।

କନ୍ୟାଘରବାଲା ଭାରି ସୁନ୍ଦର ଆୟୋଜନ କରିଥାନ୍ତି, ବରଯାତ୍ରୀଙ୍କ ଅଭ୍ୟର୍ଥନା ପାଇଁଁ। ବାରିକର କାମରେ ସମୟ ବାକି ରହିଥିବାରୁ ଶୁକୁଟାମଉସା “ବୟାକକା, ଖାଇଦବ ଯାଅ। ଏବେ ସମୟ ଅଛି ବାହାଘର ପାଇଁଁ” କହି ଚାଲିଗଲେ।

ଲୋକଗୁଡା ସବୁ ହାଳୁହାଳୁ ହଉଥାନ୍ତି। ବୁଢା ବୁଝିପାରୁ ନଥାଏ ଭୋଜିଟା କୋଉଠି ହଉଛି। ଅରକ୍ଷିତକୁ ଦଇବ ସାହାଭଳି କନ୍ୟାପକ୍ଷର ବାରିକଟୋକାଟି ଅଜାଙ୍କୁୁ ଦେଖି ଧାଇଁଁ ଆସିଲା। ଜୁହାର ହେଇ ପରିଚୟ ଦେଲା, ତା ଗୋସବାପ ଅଜାଙ୍କ ମିତ୍ର ବୋଲି ଜଣାପଡିଲା। ତାପରେ ଅଜାଙ୍କୁୁ ଭିଡିନେଲା ଖାଇବା ଜାଗାକୁ।

ସେଠି ଲୋକସବୁ ଧାଡିବାନ୍ଧି ହାତରେ ଥାଳିଧରି ଠିଆ ହୋଇଥାନ୍ତି। କିଛି ବୁଝି ନପାରି ଅଜା ବାରିକଟୋକାକୁ ପଚାରିଲେ “ଆଚ୍ଛା ବାପାରେ, ଏଠି କଣ ପଇସା ଦେଇ ଖାଇବାକୁ ପଡିବ?” ମୁଚୁକୁନ୍ଦିଆଟେ ମାରି ବାରିକଟୋକା କହିଲା “ଅଜା, ୟାକୁ ବୁଫେ କୁହନ୍ତି। ଥାଳିଧରି ଲାଇନରେ ଠିଆ ହବ। କାଉଣ୍ଟର ସବୁ ତିଆରି ହେଇଛି, ଆମିଷ ନିରାମିଷ ଉଭୟ। ଯାହା ଖାଇବାକୁ ମନ ହେବ, ସେଇ କାଉଣ୍ଟର ଆଗରେ ଯାଇ ଛିଡାହେଲେ ସେଇ ଆଇଟମଟା ତୁମ ଥାଳିରେ ବାଢିଦେବେ। ବୁଝିଲ?” ଅଜାଙ୍କ ମୁଣ୍ତଟା ଚକର ଖାଇବାକୁ ଲାଗିଲା। “ଶଃଃ! ଖାଇବାପାଇଁଁ ଲାଇନି ଲଗେଇବ?”

ଯାହାହଉ ବାରିକଟୋକା ପଛେ ପଛେ ଅଜା ପ୍ଲେଟଧରି ଠିଆ ହେଇଗଲେ ଧାଡିବାନ୍ଧି। ବାଃଃ, କି ଚମତ୍କାର ଆୟୋଜନ! ଗୋଟାକପରେ ଗୋଟେ ଆଇଟମ୍ ପ୍ଲେଟରେ ବାଢି ଦେଇ ଯାଉଥାନ୍ତି। ସବୁ ଜିନିଷ ଥାଳିରେ ନେଇସାରିବା ପରେ ଅଜା ପୁଣି ବାରିକଟୋକା ମୁହଁଁକୁ ବଲବଲ କରି ଚାହିଁଁଲେ “କିରେ ଏବେ ଖାଇବା କୋଉଠି? ଦରି ସତରଞି କି ଟେବୁଲଚେୟାର ତ ଦିଶୁନି। ୟେ ପାଞ୍ଚକିଲିଆ ଥାଳିକୁ କୋଉଠି ଥୋଇବି?” ପୁଣି ସ୍ମିତହାସ୍ୟଟିଏ ମାରି ବାରିକଟୋକା କହିଲା “ଅଜା, ଏଇଟା ନୂଆ ଫେସନ ପା! ଥାଳିକୁ ହାତରେ ଧରି ଠିଆ ହୋଇ ଖାଇବାକୁ ପଡିବ!”

ଅଜାଙ୍କୁ କଥାଟା ଅଖାଡୁଆ ଲାଗିଲା ତଥାପି ନିଜ ଖାଇବାଥାଳିକୁ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଉଠେଇଲା ଭଳି ହାତରେ ଧରି ଜାଗାଖଣ୍ତେ ଖୋଜିଲେ ଯୋଉଠି ଟିକେ ବସିକି ଖାଇହେବ। ଯାହାହେଉ ବାରିକଟୋକା କୋଉଠୁ ଦି’ଖଣ୍ତ ଚେୟାର ଯୋଗାଡ କରି ଆଣିବାରୁ ଅଜା ଟିକେ ଆଶ୍ୱସ୍ତ ହେଇ ବସିଗଲେ। ୟାଭିତରେ ଥାଳିରେ ଆଇଟମଗୁଡିକ ପରସ୍ପରଭିତରେ ହାତାହାତି ହେଇସାରିଥାନ୍ତି। ଭାତକୁ ଛାଡିଦେଲେ ଆଉ କୌଣସି ଆଇଟମ୍ ତାର ମୂଳରୁପରେ ନଥାଏ।

ହାତରେ ଖାଇବାଲୋକଙ୍କୁ ଚାମଚ କି କଣ୍ଟାଚାମଚ ଦେଲେ ଯାହା ଅବସ୍ଥା ହୁଏ। ଚିକେନପିସଟାକୁ କଣ୍ଟାଚାମଚରେ ଭୁଷି ଆୟତ୍ତ କରିବାର ଚେଷ୍ଟା ବିଫଳ ହବାରୁ ଥାଳିରୁ ଖସିଯାଇ ପିସଟି  ଲମ୍ଫ ପ୍ରଦାନ କରି ତଳେ ପଡିଲା। ଭାଗ୍ୟ ଭଲ କେହି ସାମନାରେ ନଥିଲେ ନହେଲେ ଖଣ୍ତେ ମହାଭାରତ ହେଇ ଯାଇଥାନ୍ତା। ପେଟେ ଭୋକ, ମୁହେଁଁ ଲାଜ କିଏ କରୁଛି ହୋ! ଆମ ଶୈଳୀରେ ଆମେ ଖାଇବା! ଅଜା ସିଧାସଳଖ ଚାମଚଛାଡି ହାତଲଗେଇ ଖାଇଲେ।

ଦୁଇଚାରି ଗୁଣ୍ତା ଖାଇଛନ୍ତି କି ନାହିଁଁ ହଠାତ ଭିଡିଓବାଲାଟି କୁଆଡେ ଥିଲା ଲାଇଟ ଜଳେଇ ରାହୁଭଳି ମାଡିଆସିଲା। ଅଜା ଗୋଟେ ଗୁଣ୍ତା ଭାତ ମୁହଁଁରେ ପୁରେଇ ଚାକୁଳଉ ଥାଆନ୍ତି ଠିକ୍ ସେଇ ସମୟରେ ଅପଦଶିଆ ଭିଡିଓବାଲା ଅଜାଙ୍କ ଉପରେ ଫୋକସ କଲା। ପଛବେଞ୍ଚରେ ଘୁମଉଥିବା ଛାତ୍ର ପାଖରେ ହଠାତ୍ ମାଷ୍ଟ୍ରେ ଯାଇ ଠିଆ ହୋଇଗଲେ ଯେମିତି ହୁଏ ସେମିତି ଅବସ୍ଥା ଅଜାଙ୍କର ହେଇଗଲା। ଭାରି ଅପାସ୍ତୁକ ପରିସ୍ଥିତି। ହାଁଁ କରି ଭିଡିଓବାଲା ମୁହଁଁକୁ ଚାହିଁଁ ରହିଲେ। ତାଙ୍କ ମୁହଁଁଭିତରର ପୁରା ତଥ୍ୟ ରେକର୍ଡିଂଂ ହେଇ ଯାଇଥିବ ନିଶ୍ଚୟ! ଯାହାହେଉ କିଛି ସମୟପରେ ଭିଡିଓବାଲା ଚାଲିଗଲା, ଅଜା ନିଃଃଶ୍ୱାସମାରି ଖାଇବାରେ ଧ୍ୟାନ ଦେଲେ। ମନେମନେ ଭାଗ୍ୟକୁ ଧନ୍ୟବାଦ ଦେଇ କହିଲେ “ବଞ୍ଚିଗଲା ମଣିଷ! ଆଉ ମିନିଟିଏ ରହିଥିଲେ ତାଳୁକୁ ଉଠି ଯାଇଥାନ୍ତା।” ଗାଁଁଗହଳିର ଲୋକ, ଖାଇସାରିଲା ପରେ ଖଣ୍ତେ ପାନ ଚାକୁଳେଇବା ନିହାତି ଦରକାର। ଅଜା ନିଜ ବଟୁଆରୁ ଖଣ୍ତେ ପାନ ଚାକୁଳେଇ ମାଡିଗଲେ ବେଦିଆଡକୁ।

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s