ହାଟରୁ ଫେରିଲା ବେଳକୁ ସେଦିନ ବେଳବୁଡି ସଞ ହେଇଗଲାଣି। ଚାହୁଁ ଚାହୁଁ କିଟିମିଟିଆ ଅନ୍ଧାର ମାଡିଆସିଲା। ବନସର ଗଳିଟା ପାର ହେଇଗଲେ ଯାଆନ୍ତା। ଏୟା ଭାବି ଶୀଘ୍ର ଶୀଘ୍ର ପାଦ ପକଉଥାଏ। ଟର୍ଚ୍ଚର ବ୍ୟାଟେରିଟା ବି ଆଜି ଡାଉନ୍ ହବାର ଥିଲା, ମିଞିମିଞି ହୋଇ ଜଳୁଥାଏ। ଟିକେ ଟିକେ କାଦୁଅ ହେଇଥାଏ, ତେଣୁ ଧୋତିଟାକୁ ଟେକିଦେଇ ଅଣ୍ଟାରେ ଗୁଡେଇ ଦେଲି। ସଉଦା ବ୍ୟାଗଟାକୁ କାନ୍ଧଉପରକୁ ଉଠେଇଦେଇ ଫୁର୍ତ୍ତିଫୁର୍ତ୍ତି ଚାଲିବାକୁ ଲାଗିଲି। ମନରେ ଅଖାଡୁଆ ଖିଆଲ ସବୁ ଆସୁଥାଏ। ମୋ ପଛେପଛେ କିଏ ଗୋଟେ ଚାଲୁଛି କି ଆଉ! ବାରମ୍ବାର ପଛକୁ ବୁଲି ଟର୍ଚ୍ଚମାରି ଦେଖୁଥାଏ। ଏମିତି ଥରେ ବୁଲି ପଡି ଦେଖିଲା ବେଳକୁ ପାଖ ବାଉଁଶବୁଦା ମୂଳରେ ଲାଗିଲା ଯେମିତି କେହିଜଣେ ଠିଆ ହୋଇଛି, ଧଳାଲୁଗା ଖଣ୍ତେ ପିନ୍ଧି। ଡିମ୍ ଲାଇଟ୍ ଯୋଗୁଁ ଟର୍ଚ୍ଚଆଲୁଅରେ କିଛି ଦେଖାଯାଉ ନଥାଏ। ଥମକିଯାଇ ଠିଆ ହୋଇଗଲି, ଛାତି ଦକ୍ ଦକ୍ କରୁଥାଏ। ହଠାତ୍ ଲାଗିଲା ଯେମିତି ସିଏ ହଲିବାକୁ ଲାଗିଲା। ଏକଥା ଦେଖି ମୋର ପିଳେହି ପାଣି। ବୋଉଲୋ କହି ଦୌଡିଛି ଯେମିତି କାନ୍ଧଉପରେ ଥିବା ବ୍ୟାଗଟାକୁ କିଏ ଜଣେ ଟାଣିଧରିଲା। ବାସ୍ ବ୍ୟାଗଟାକୁ ସେଇଠି ଫୋପାଡିଦେଇ ମରିଗଲି ଲୋ ମା କହି ଧାଇଁଲି। ଏକା ନିଶ୍ୱାସକରେ ଆସି ଦଧିବାମନ ମନ୍ଦିର କତିରେ। ଯୁବକସଂଘ ଘରପିଣ୍ତାରେ ବସି ତାସ୍ ବାଡଉଥିବା ଟୋକାସବୁ ମୋତେ ଧରି ଆଗେ ସାଷ୍ଟମ କଲେ। ପଚାରିଲେ ଅଜା କଣ ହେଲା? ମୋ ପାଟି ଖନି ମାରିଯାଉଥାଏ। ସବୁକଥା ଶୁଣି ଟୋକାଏ ପରସ୍ପର ମୁହଁ ଚାହାଁଚାହିଁ ହେଲେ। ଶଙ୍କରା ମୋତେ ନେଇ ଆମ ଘରେ ଛାଡି ଆସିଲା। କହିଲା ଅଜା ଆମେ କାଲି ବୁଝିବା ସେକଥା, ତୁମେ ରେଷ୍ଟ ନିଅ। ମୋ ଚୁଟି ସେଇମିତି ଠିଆ ହୋଇ ରହିଲା ବେଶ୍ କିଛି ସମୟ!
ତା ପରଦିନ ସକାଳୁ ଶଙ୍କରା, ବାଇନ, ପଦୁଆ ଏମାନେ ମୋତେ ନେଇ ଚାଲିଲେ ବନସର ଗଳିକୁ ଘଟଣା କଣ ବୁଝିବାପାଇଁ। ମୋର ସଠିକ୍ ମନେ ପଡୁ ନଥାଏ, ତେଣୁ ତା ପୂର୍ବଦିନ ସଞବେଳେ ଯେମିତି ଯେମିତି ଆସିଥିଲି ପୁଣିଥରେ ଚାଲିକି ଦେଖେଇଲି। ବାଉଁଶବଣ ପାଖରେ ଗୋଟେ ବ୍ୟାନର ବନ୍ଧାଯାଇଥାଏ ପଞ୍ଚାୟତ ଭୋଅଟପାଇଁ। ସେଇଟା ବୋଧେ ପବନ ଲାଗି ହଲିଛି ଆଉ ମୁଁ ତାକୁ ଦେଖି ଡରି ଦୌଡି ପଳେଇବାକୁ ଚେଷ୍ଟା କରିଛି। ସେଇଠି ଗୋଟେ ବାଉଁଶ ପବନ ମାଡରେ ନଇଁ ଆସିଛି ଟିକେ ରାସ୍ତା ଉପରକୁ। ତାରି କଣିଟା ମୋ ସଉଦାବ୍ୟାଗ୍ ଦେହରେ ଅଟକି ଯିବାରୁ ମୋତେ ଲାଗିଲା କେହି ଯେମିତି ଟାଣି ଧଇଲା। ମୋ ବ୍ୟାଗଟି ସେଇମିତି ସେଠି ତଳେ ପଡିଥାଏ। ବାଇନ କହିଲା ଅଜା, ତୁମେ ଖାଲିଟାରେ ଡରିଗଲ। ଦେଖ ଏଠି କିଛି ନାହିଁ। ମୁଁ ଆଉ କଣ କହିବି, ଚୁପଚାପ ଘରକୁ ଫେରିଲି।
(ପ୍ରତ୍ୟକ୍ଷରେ ବୟା ଅଜାଙ୍କ ଠାରୁ ଶୁଣିଥିବା ସତ୍ୟଘଟଣା)