ନଖିନାନୀ

ପ୍ରାଇମେରୀସ୍କୁଲ୍ ବେଳର କଥା। ଆମ ସ୍କୁଲ ପଛପଟକୁ ଗୋଟେ ବଡ ଖେଳପଡିଆ ଥିଲା ଆଉ ତାକୁ ଲାଗି ପାଚେରୀ। ପାଚେରୀ ଆରପଟରେ ଗୋଟିଏ କଣକକୁ ଲାଗି ଗୋଟେ ଟାଇଲଛପର ଘର। ସେଇ ଘରେ ରହୁଥିଲା ନଖିନାନୀ। କେବେ କ୍ରିକେଟ୍ ଖେଳୁଖେଳୁ ବଲ୍ ପାଚେରୀଡେଇଁ ତାଙ୍କ ବାଡିରେ ପଡିଲେ, କେହି ଗୋଟେଇବାକୁ ଯିବାକୁ ସାହସ କରନ୍ତି ନାହିଁ। କାରଣ ନଖିନାନୀ କୁଆଡେ ଗୁଣୀଗାରେଡି ଜାଣିଛି। ଆଈମା ପାଖରୁ ବୁଢୀ ଅସୁରୁଣୀ କି ମାଲୁଣିବୁଢୀ ଗପ ଶୁଣିଲାବେଳେ ଭୁତକଥା ପଡିଲେ ନଖିନାନୀ ଚେହେରାଟା ଆପେ ଆପେ ମନକୁ ଆସେ। ମୋ ସାଙ୍ଗ ଲଖଣ କହେ ଭୁତମାନେ କୁଆଡେ ରାତିହେଲେ ବାହାରନ୍ତି। ମଣିଷଙ୍କ ପାଦ ଆଗପଟକୁ ଥାଏ, ହେଲେ ଭୁତଙ୍କ ପାଦ ପଛପଟକୁ ଥାଏ। ନଖିନାନୀ କୁଆଡେ ଚରାଡାହାଣୀ, ବଡିଭୋରୁ ଘରଛାଡି ପଳାଏ ଛୁଆ ଖାଇବାକୁ। ଡାହାଣୀ କାଳେ ହାତରେ ଚାଲନ୍ତି, ଗୋଡ ଉପରକୁ କରି। ଲଖିଆ କଥା ଶୁଣି ଆହୁରି ଡର ମାଡେ। କେବେ ନଖିନାନୀ ରାସ୍ତାରେ ଆସୁଥିବାର ଦେଖିଲେ ଆମେ ଛୁଆମାନେ ଭୟରେ ଯିଏ ଯୋଉଠି ପାରିଲା ଲୁଚିଯାଉଥିଲା। ଥରେ ବୋଉଆଗରେ ନଖିନାନୀକୁ ଡାହାଣୀ ବୋଲି କହିବାରୁ ଚଟକଣୀଟିଏ ଖାଇଲି। ବାପାଙ୍କୁ ପଚାରିବାର କେବେ ସାହସ ହୋଇନାହିଁ। ସେସମୟର ପିଲାମାନଙ୍କପାଇଁ ନଖିନାନୀ ଥିଲା ଭୟ ଆଉ କୌତୁହଳ ମିଶା ଗୋଟିଏ ରହସ୍ୟ ଯାହା ଆମେ ଛାତିରେ ରଖି ବଡ ହେଲୁ।

ସମୟର ସୁଅରେ ଆଉ ଜୀବନର ଧାରରେ ନଖିନାନୀ କଥା ଧିରେ ଧିରେ ଭୁଲିଗଲୁ। ଥରେ ଘରକୁ ଛୁଟିରେ ଆସିଥାଏ, ଗାଁମୁଣ୍ତ ପାନଦୋକାନରେ ସାଙ୍ଗସାଥୀଙ୍କ ମେଳରେ ଗୁଲିଖଟି ଚାଲିଥାଏ। ହଠାତ୍ ଜଣେ ସାଙ୍ଗ କହିଉଠିଲା ନଖୀନାନୀର ପ୍ରକୃତ ପରିଚୟ ମିଳିଯାଇଛି। କିଛି ସମୟ ପାଇଁ ଇଚ୍ଛା ହେଲା ତାକୁ ମନା କରିବାକୁ, କିଛି କହିବାପାଇଁ। ହେଲେ କୌତୁହଳଟା ବେଳକୁ ବେଳ ବଢି ଚାଲିଥାଏ, ତେଣୁ କାଚଗ୍ଲାସରେ ଆଉ ଗିଲାସେଲେଖାଁ ଚା ଧରି ଅନେଇ ରହିଲୁ ସାଙ୍ଗ ମୁହଁକୁ।

ନଖିନାନୀ ଘର ନୟାଗଡରେ, ଖୁବ୍ ଥିଲାବାଲା ବ୍ରାହ୍ମଣ ଘରର ଝିଅ। ସେ ସମୟରେ କଟକରେ ତା ପିଇସୀ ଘରେ ରହି ରେଭେନ୍ସା କଲେଜରେ ପାଠ ପଢୁଥିଲା। ସେଇଠି ପାଖ ଘରେ ରହୁଥିଲା ଅଶୋକ, ବାଣୀବିହାରରେ ପିଜି କରୁଥାଏ ଯାହାର ପ୍ରେମରେ ପଡିଗଲା ସେ। ପିଇସୀ ତାଗିଦ କଲାପରେ ବି କିଛି ଫଳ ନ ହେବାରୁ ନାନୀର ବାପାଙ୍କୁ ଡକାଗଲା କଟକ। ବାପା ଏକଥା ଜାଣି ଖୁବ୍ ରାଗିଲେ, ପାଠ ଅଧାରୁ ଛଡେଇ ଗାଁକୁ ନେଇଯିବେ ବୋଲି ଧମକ ଦେଲେ। ନଖିନାନୀ ଚୁପ୍ ହୋଇଗଲା, ବାପା ନୟାଗଡ ଫେରିଗଲେ। ଏକଥାର ସପ୍ତାହେ ପରେ ହଠାତ୍ ଦିନେ ନଖିନାନୀ ଘରୁ ଫେରାର୍ ହେଇଗଲା, ଆଉ ପଡିଶା ଘରର ଅଶୋକର ମଧ୍ୟ ଦେଖା ମିଳିଲାନି। ନଖିନାନୀର ପରିବାର ପୁଲିସ ଏତଲା ଦେଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ଦୁହିଁଙ୍କର ପତ୍ତା ମିଳିଲା ନାହିଁ।

କଟକରୁ ଫେରାର ହୋଇ ଦୁହେଁ କିଛିଦିନ ପାଇଁ କଲିକତାରେ ରହିଲେ ଅଶୋକର ଜଣେ ବନ୍ଧୁଙ୍କ ଘରେ। ସେଇଠି ଦୁହେଁ ଦକ୍ଷିଣକାଳୀ ମନ୍ଦିରରେ ବାହା ହୋଇପଡିଲେ। ଓଡିଶାରେ ପୋଲିସ ଖୋଜୁଥାଏପାରେ ବୋଲି ପ୍ରାୟ ମାସେ ଖଣ୍ତେ କଲିକତାରେ ରହିଲେ। ପଇସା ସରି ଆସୁଥାଏ, ତେଣୁ ଦିନେ ଟ୍ରେନ ଧରି ଯାଇ ପହଞ୍ଚିଲେ ସୁଦୂର କୋରାପୁଟରେ। ଅଶୋକବାବୁ ପିଜି କରିଥିବାରୁ ପାଖ ଗାଁର ସ୍କୁଲରେ ତାଙ୍କୁ ଶିକ୍ଷକ ଚାକିରିଟା ମିଳିଗଲା। ଯାହା ହେଉ ସ୍ୱଳ୍ପ ସମ୍ବଳରେ ଦୁଇ ପ୍ରାଣୀ ସୁଖେ ଦୁଃଖେ ଚଳିଲେ।

ବାହାଘରର ୬-୭ ବର୍ଷ ହୋଇଗଲା ପରେ ବି ନଖିନାନୀର ଛୁଆପିଲା ହେଲେ ନାହିଁ। ଅଶୋକବାବୁ ପ୍ରଥମେ ଏଇ କଥାଟାକୁ ଅଣଦେଖା କରୁଥିଲେ, ହେଲେ ଲୋକଙ୍କ ମୁହଁରେ କିଏ ବାଡବତା ଦେବ? ଧିରେ ଧିରେ ପତିପତ୍ନୀଙ୍କ ଭିତରେ ତିକ୍ତତା ବଢିଲା, ଝଗଡା ହେଲା। ହଠାତ୍ ଦିନେ ଅଶୋକବାବୁ କୁଆଡେ ଉଭାନ୍ ହୋଇଗଲେ, ଘରକୁ ଫେରିଲେ ନାହିଁ। ନଖିନାନୀ ଖୁବ୍ କନ୍ଦାକଟା କଲା, ସ୍ୱାମୀ ବାଟକୁ ଅନେଇଲା। ଶେଷରେ କପାଳକୁ ଆଦରି ଚିନ୍ତା କଲା ଏବେ ବଞ୍ଚିବ କେମିତି? ଅଶୋକବାବୁ ସ୍କୁଲ ଯାଉଥିଲାବେଳେ ନଖିନାନୀ ଘରେ ବସି ବିରକ୍ତ ହେଇଯାଉଥିଲା ବୋଲି ଗୋଟେ ସିଲେଇ ମେସିନ୍ କିଣି ଛୋଟମୋଟ ସିଲେଇକାମ କରୁଥିଲା। ଏବେ ସିଲେଇ ମେସିନଟି ତାର ବଞ୍ଚିବାର ସମ୍ବଳ। ସାଇପଡିଶାର ସ୍ତ୍ରୀଲୋକମାନେ ଲୁଗାପଟାରେ ରଫୁ କି ସିଲେଇ କାମ ନଖିନାନୀ ପାଖରେ କରଉଥିଲେ। ସେଥିରୁ ସେ ଯାହା ଦି ପଇସା ପାଉଥିଲା, ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା।

ଗାଁଦୋକାନୀସବୁ ନାନୀର ଅବସ୍ଥା ଦେଖି ଦୟାକରି ଉଧାରରେ ଜିନିଷପତ୍ର ଦେଉଥିଲେ ଆଉ ମାସ ଶେଷରେ ସେ ସମସ୍ତଙ୍କୁ ପଇସା ଦେଇଆସୁଥିଲା। ନଣ୍ତାସାହୁ ଦୋକାନରୁ ନଖିନାନୀ ତେଜରାତି ସଉଦା କୁନ୍ଥୁକୁନ୍ଥୁ ହୋଇ ଆଣେ ଲୋକଟାର ନଜର ଖରାପ। ଦିନେ ସଞବେଳେ କେହି ନଥିଲାବେଳେ ନଣ୍ତାସାହୁ ନାନୀକୁ ମାଡିବସିଲା ଯେମିତି ନଖିନାନୀ ବିକଳିଆ ଚିତ୍କାର କଲା। ଗାଁଲୋକ ଧାଇଁ ଆସିବାରୁ ନଣ୍ତାସାହୁ ନାନୀକୁ ଛାଡିଦେଇ ଭୁଲ୍ ମାଗିଲା, ଲୋକଙ୍କୁ ନକହିବାକୁ ନେହୁରା ହେଲା। ନାନୀ ଘରକୁ ଫେରିଆସିଲା ହେଲେ ନଣ୍ତାସାହୁ ମନରେ ରାଗ ରଖିଲା। ତା’ପରଠୁ କେମିତି ନାନୀଉପରେ ରାଗ ଶୁଝେଇବ ସେକଥା ଭାବିଲା। ଦିନେ କିଛି ଗାଁଲୋକଙ୍କୁ ମେଳିକରି କହିଲା ନଖିନାନୀ ଗୁଣିଗାରେଡି ଜାଣେ, ସେ ଗୋଟେ ଡାହାଣୀ। କୁଆ ଉଡିବାକୁ ତାଳ ପଡିବାକୁ। କିଛିଦିନପରେ ନାନୀର ଘରଠୁ ୨-୩ଘର ଛାଡି ପଧାନଘର ଛୁଆଟି ଝାଡାବାନ୍ତି କରି ଅସମ୍ଭାଳ ହେଲା। ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ଛୁଆଟି ପ୍ରାଣ ହରେଇଲା। ନଣ୍ତାସାହୁପାଇଁ ସେଇଟା ଥିଲା ସୁବର୍ଣ୍ଣ ସୁଯୋଗ, ସାଙ୍ଗେ ସାଙ୍ଗେ କହିଲା “ଏହି ନଖି ତାକୁ ଖାଇଗଲା, ଚରାଡାହାଣୀଟା”। ଗାଁ ମାଇପେ ସେଇଦିନଠୁ ଫୁସୁରଫାସର ହେଲେ, ନଖିନାନୀକୁ ଦେଖିଲେ କେମିତି କେମିତି ଚାହିଁଲେ। କଥାକୁ ତ ଚାପି ରଖିହୁଏନା, ଧିରେଧିରେ ସମସ୍ତେ ନାନୀକୁ ଡାହାଣୀବୋଲି ଘୋଷଣା କରିଦେଲେ।

ଘଟଣାପରେ ନଖିନାନୀର ଜୀବନ ଦୁର୍ବିସହ ହୋଇପଡିଲା। କିଛି ବୁଝାସୁଝା ଦୟାଳୁଲୋକ ନଥିଲେ ପଞ୍ଚାୟତ ନାନୀକୁ ବାଛନ୍ଦ କରିଦେଇଥାନ୍ତା। ଗାଁମୁଣ୍ତ ମନ୍ଦିର ପାଖରେ ଗୋଟିଏ ଛୋଟିଆ କୁଡିଆ କରି ତାକୁ ସେଠି ରହିବାକୁ କୁହାଗଲା। ହେଲେ ନାନୀ ଜମା ପ୍ରତିବାଦ କଲାନାହିଁ। ଲୋକଙ୍କ ଲୁଗାପଟା ସିଲେଇ କରି, ବାଡିର ଫୁଲ ମନ୍ଦିରରେ ବିକି ଗୁଜରାଣ ମେଣ୍ଟାଇବାକୁ ଲାଗିଲା।

ସମୟ କାହାକୁ ଅପେକ୍ଷା କରେ? କିଛି ବର୍ଷପରେ ବଡ ବନ୍ୟାଟିଏ ହେଲା ଆଉ ପୁରା ଗାଁର ଘରଦ୍ୱାର ଧୋଇଗଲା। ଗାଁଲୋକ ବଞ୍ଚିଗଲେ କିନ୍ତୁ ବହୁତ କ୍ଷୟକ୍ଷତି ହେଲା। ବନ୍ୟା ଛାଡିଲାପରେ ସମସ୍ତେ ନିଜନିଜ ଘରକୁ ଫେରିଲେ, ଭାଙ୍ଗିଯାଇଥିବା ଘରବାଡିକୁ ମରାମତି କଲେ। ସ୍କୁଲଘରଟି ସମ୍ପୁର୍ଣ୍ଣରୁପେ ଧୋଇଯାଇଥାଏ, ଛୁଆଙ୍କର ପାଠପଢା ବନ୍ଦ। ମରାମତି କରିବାକୁ କାହାରିପାଖେ ପଇସା ନଥାଏ। ସେଥର ପଞ୍ଚାୟତରେ ସ୍କୁଲଘର ମରାମତି କଥା ଉଠିବାରୁ ସମସ୍ତେ ରୋକଠୋକ ମନା କରିଦେଲେ। କିଛିଦିନପରେ ସରପଞ୍ଚଙ୍କ ପାଖକୁ ୫୦୦ଟଙ୍କାର ମନିଅର୍ଡର ଆସିଲା, ସେଥିରେ ଲେଖା ହୋଇଥିଲା “ଛୁଆମାନଙ୍କର ପାଠ ପଢିବା ବହୁତ ଜରୁରୀ। ସେମାନେ ପଢିଲେ ଅନ୍ଧବିଶ୍ୱାସ, କୁସଂସ୍କାରଠାରୁ ଦୂରରେ ରହିବେ। ମୋର ସ୍ୱଳ୍ପସମ୍ବଳରୁ ଯଥାସମ୍ଭବ ସାହାଯ୍ୟ କରୁଛି। ଦୟାକରି ଏକଥା ଗୋପନୀୟ ରଖିବେ।ଇତି, ନଖି”। ସରପଞ୍ଚଙ୍କ ଆଖିରୁ ଧାରେ ଲୁହ ଗଡିଗଲା।

ଯୁଗେ ଯୁଗେ ଯଦି ରାବଣମାନେ ଜନ୍ମ ନେଇଛନ୍ତି, ସୀତାମାନେ ବି ଜନ୍ମିଛନ୍ତି। ମଣିଷର ଚରିତ୍ର ଦୃଢ ହେଲେ ଯେତେ ଦୁଃଖବିପତ୍ତି ବି ତାହାର କିଛି କରିପାରିବନି। ଏତେ କଷ୍ଟ ପାଇଲା ପରେ ବି ନଖିନାନୀର ସେଇ ଛୋଟିଆ ଅବଦାନଟି କଥା ଶୁଣି ଇଚ୍ଛା ହେଉଥିଲା ଯାଇ ତାକୁ ସାଲ୍ୟୁଟଟିଏ ମାରିବାକୁ।

3 Comments

  1. dukha ra katha ki aji emiti kusanskara banchichi… pratidina paper re deuchi ki Dahani sandeha re hatya. Lokamane uchha sikhita heba pare b aji ebhali kusanskara ku adari rahichhanti..

    Liked by 1 person

    1. ଏପ୍ରକାର କୁସଂସ୍କାରକୁ ଦୂର କରିବାର ଉପାୟ ହେଉଛି ଶିକ୍ଷା। ନଖିନାନୀ ଗପମାଧ୍ୟମରେ ଏଇ ମେସେଜ୍ ପଠେଇବାର ଏହା ଏକ ପ୍ରଚେଷ୍ଟା ଥିଲା।

      Liked by 1 person

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s