ଧୁଳିଆବାବା

ମୂଳ ରଚନା: ଫକୀରମୋହନ ସେନାପତି

ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା। ସେ ତ କିଛି ଆଜିକାଲିକା କଳିଯୁଗର ଦେବତା ନୁହନ୍ତି, ସତ୍ୟଯୁଗରୁ ବିରାଜୁଛନ୍ତି। ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ। ତାଙ୍କର ବି ସେପରି ମହିମା। ବଡ ବଚନସିଦ୍ଧ ପୁରୁଷ ଥିଲେ। ଯାହାକୁ ଯାହା ଆଜ୍ଞା କରୁଥିଲେ, ତୁରନ୍ତ ଫଳିଯାଉଥିଲା। ତାଙ୍କ ମହିମା କଥା ପୃଥିବୀଯାକ ଜାରି। ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା। ସକାଳଓଳିଆ ମହନ୍ତ ମହାରାଜା ଗୋଟେ କାନ୍ଥଡା ଉପରେ ବସି ଗଞେଇ ଟିପୁଥିଲେ। ଦୂରକୁ ଅନେଇ ଦେଲେ ଯେ ଗୋଟାଏ ଖୁବ ବଡ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡୁଛି, ଫୌଜଦାର ତା ଉପରେ ବସି ଆସୁଛି! ମହାରାଜ ଖାଲି ଏତିକି କହିଲେ, ହଁ – ଚେଲ୍ ବାବା କାନ୍ଥଡା ଚେଲ୍! ଆଉ କଣ କାନ୍ଥଡା ରହି ପାରେ, ଚାଲିଲା। ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡା, ଅଧା ବାଟରେ ଭେଟା ଭେଟି! ଫୌଜଦାର ଯେମିତି ଅନେଇ ଦେଇଛି ଆଉ କଣ ହାତୀରେ ବସିପାରେ। ଖପ୍ କରି ହାତୀରୁ ଡେଇଁ ପଡି ଲମ୍ ଲମ୍ ଗୋଡ ତଳେ ପଡିଗଲା। ମହନ୍ତ ମହାରାଜ କଲ୍ୟାଣ କଲେ, ଜୀତେ ରହୋ – ଜୀତେ ରହୋ ବଚ୍ଚା, ଉଠ – ଉଠ। ଫୌଜଦାର ଯେମିତି ଉଠିଛି ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରି ଦେଲା। ଏହି ମହନ୍ତ ଗାଦିରେ ବସିଥିଲେ – ବାରଶ ବର୍ଷ ବାର ମାସ ବାର ଦିନ।~ସେ ତ ଥିଲେ ଇଛ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ମନ ବଳିଲା ନାହିଁ। ଅଯୋଧ୍ୟାକୁ ଖବର ଗଲା। ହନୁମାନ ଗାଦିରୁ ଜଣେ ଚେଲା ଆସିଲେ। ଯାଙ୍କ ହାତରେ ଗାଦି ଦେଇ ସ୍ଵର୍ଗକୁ ଚଲିଗଲେ। ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ। ଗାଦିର ମହିମା – ଏ ମହନ୍ତ ବି ସେହିପରି। ୟାଙ୍କ ସମୟରେ ପଡିଲା ଫିରିଙ୍ଗି ଅମଳ ଜାରୀ। କଟକ ସାହେବ କହିଲା, କ୍ୟା – ହିନ୍ଦୁ ଫକୀରଟା ଖଜଣା ନଦେଇ କେଉ ଏତେଗୁଡାଏ ଜମି ମାଗଣା ଖାଏଗା? ବୋଲାଓ ଉସ୍କୁ ହାମ ଦେଖେଙ୍ଗା। ପରଵାନା ପାଇ ମହନ୍ତ ଘୋଡାରେ ଚଢି ବାହାରିଲେ। ଆଗରେ ବାନା ବୈରଖ ଉଡୁଛି, ହରିବୋଲ ପଡୁଛି, କୀର୍ତ୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୁଳରେ। ଭୋଦୁଅ ମାସିଆ ଦିନ – ମହାନଦୀ ଏକୁଳ ସେକୁଳ ଖାଉଛି। ବର୍ଷା ତୋଫାନ ବୋଲେ ମୁହି – ନାଉରି କହିଲା, ନାଆ ଫିଟାଇବ ନାହିଁ। ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ। କାଖରେ ଯେ ବାଘଛାଲ ଥିଲା, ପାଣିରେ ପାରି ଦେଲେ – ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ। ଜଣେ ଛତିଆ ମହନ୍ତଙ୍କ ମୁଣ୍ଡଉପରେ ପାଟଛତି ଟେକିଥାଏ। ଦୁଇ ଜଣ ବାହିଆ ଛଲ ବାହି ଯାଉଥାନ୍ତି। ଏଣେ ମହାନଦୀ ଆରକୁଳରେ ସାହିବ ରାଉଟି ପକାଇ ବସିଥିଲା। ଦୂରବୀନରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ଲୋକେ କହିଲେ, ହିନ୍ଦୁ ଫକୀର ବିଜେ ହୋଇ ଆସୁଛନ୍ତି। ସାହେବ ଆଉ କଣ ଚୌକିରେ ବସିବ – ନଈକୂଳକୁ ଧାଇଁ ଆଇଲା। ମୁଣ୍ଡରୁ ଟୋପି ତଳେ ରଖି ତିନି ସଲାମ୍ କଲା। କହିଲା – ଯାଓ ଫକୀର! ତୁମାରା ଜମିନ ବହାଲ। ଏ ମହନ୍ତ ଦେଢ ହଜାର ବର୍ଷ ଗାଦିରେ ବସିଥିଲେ। ତାଙ୍କର ଉତ୍ତାରେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ। ମନ୍ଦିର ପଛପଟରେ ଯେଉ ଦି ଫାଙ୍କୁଡିଆ ବୁଢା ଶାହାଡ଼ା ଗଛ ଦେଖୁଛ, ଏଟ କଣ ଜାଣ? ମହନ୍ତ ଦିନେ ଶାହାଡ଼ା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ। କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲିପକାଇ ଦୁଇ ଖଣ୍ଡ କାଠିଯୋଡି ମାଟିରେ ପୋତି ଦେଲେ। ତା ଉପରେ ଯେମିତି ଟୋପାଏ ପାଣି ପକେଇଛନ୍ତି, ସିମିତି ଗଜେଇ ଗଲା. ଏଇଟା ସେ ଗଛ। ବର୍ତ୍ତମାନର ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ। ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ। ପଞ୍ଚହତା ମର୍ଦ, ଗାଲ ଓଠ ଛାତିରେ ଲାଗି ଯାଇଛି, ବେକ ଦିଶେ ନାହିଁ। ବାହୁ ଆଉ ଲୋକଙ୍କ ଜଙ୍ଘ ପରି, ମୋଟା ପେଟଟି ଗୋଟିଏ ଦଶ ନୌତିଆ ଘୁମ। ଅଜଣା ଲୋକ ଦେଖି କହିବେ, ମହନ୍ତ ଲଙ୍ଗଳା। ନାହିଁ ନାହିଁ – ଚାଖଣ୍ଡେ ଚୌଡା ଦେଢ ହାତ ଲମ୍ବ ଖଣ୍ଡେ କନା କୌପୀନ ମାରିଥାନ୍ତି। ଜଙ୍ଘକୁ ଜଙ୍ଘ ଲାଗିଯାଇଛି – ପେଟଟି ଝୁଲି ପଡିଛି, କୌପୀନ ଦିଶେ ନାହିଁ। ଏ ମହନ୍ତଙ୍କର ବି ମହିମା ଅପାର. ମନ୍ଦିରରେ ଏତେ ଖଟ ପଲଙ୍କ କାହିରେ ଶୋଇବେ ନାହିଁ, ସବୁବେଳେ ଧୁଳିରେ ଗଡୁଥାନ୍ତି। ଦେହଯାକ ଧୁଳିଧୁସର. ସ୍ନାନ କେବେ କରନ୍ତି ନାହିଁ, ପାଣି ଛୁଅନ୍ତି ନାହିଁ। ଏଥିପାଇଁ ଲୋକମାନେ ମହନ୍ତ ମହରାଜଙ୍କୁ ଧୁଳିଆବାବା ବୋଲି ଡାକନ୍ତି। ମନ୍ଦିରରେ ଏତେ ଧନ ଦୌଲତ, ଏତେ ପିଠା ଖଜା, କିଛି ଛୁଇଁବେ ନାହିଁ।ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଞ୍ଚ ସେର ରହିବ – ଅଳତା ଫଡା ପରି ଉପରେ ସର ପଡିବ – ଦି’ପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ – ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ, ପାଏ ଗଞେଇ ଖଞା। ଦିନରାତି ଗଞେଇ ଚିଲମ ହାତରୁ ଛୁଟଣ ନଥାଏ। ଆଖି ଯୋଡିକ ସାନ ସାନ ସିନ୍ଦୁରବିନ୍ଦୁ ପରି ଲାଲ। ସବୁବେଳେ ମିଞିମିଞି କରି ଚାହାନ୍ତି। ତାଙ୍କ ଗଞେଇ ଚିଲମଟା ହାତେ ଲମ୍ବ। ଦଶ ପନ୍ଦର ଜଣ ଭଗତ-ଚେଲା ସବୁ ବେଳେ ବେଢି ବସିଥାନ୍ତି। ଗଞେଇଟିପା କାମ ପାଞ୍ଚ ଛ ଜଣଙ୍କ ହାତରେ ଲାଗିଥାଏ। ମନ୍ଦିରରୁ ପ୍ରସାଦ ସେବାକରି ସବୁବେଳେ ଏମାନେ ପାଖରେ ହାଜର।

ଆଗ ଆଗ ମହନ୍ତ ମହାରାଜଙ୍କ ମହିମା କଥା ଦେଶ ଲୋକଙ୍କୁ ଜଣା। ପୁଣି ସେ ସବୁକଥା ଭୁଜପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖା ହୋଇ ଦେଉଙ୍କ ସିହାସନ ତଳେ ଅଛି। ଏ ଧୁଳିଆବାବା ସେସବୁ ପଢିଆସି ବିଶ୍ଵାସୀ ଭକ୍ତମାନଙ୍କ ପାଖରେ ଗୋପନରେ କୁହନ୍ତି। କେହି କେହି ଅବିଶ୍ଵାସୀ ଭକ୍ତ ଲୋକଙ୍କ ପାଖରେ ପ୍ରକାଶ କରି ପକାଏ।
ଧୁଳିଆବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି, ଏହି ପୁରୀରେ ଯେ ଜଗନ୍ନାଥ ଦେଉଳ ଦେଖୁଛ, ତିଆରି ହେଲା ବାଦ ପ୍ରତିଷ୍ଠାକୁ ଅଯୋଧ୍ୟାରୁ ହଜାରେ ଆଠ ମୂରତି ସାଧୁ-ମହନ୍ତ ଭୋଜି ଖାଇବାକୁ ଆସିଥିଲେ। ଏ ବି ସେମାନଙ୍କ ମଧ୍ୟରେ ଆସିଥିଲେ। ଚେଲାମାନଙ୍କ ଭକ୍ତି ଏଡି ନପାରି ରହିଯାଇଛନ୍ତି – ଆଉ ଏ ମିଛୁଆ ଦେଶଟା ଭଲ ଲାଗୁ ନାହିଁ। ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ। ପ୍ରସାଦସେବାକାରୀ ଚେଲାମାନେ ଗୋଡତଳେ ପଡି ଗଡନ୍ତି। ସେମାନଙ୍କ ଉପରେ କୃପା କରି ଧୂଳିଆବାବା ରହିଯାଇଛନ୍ତି। ଏପରି ଘଟଣା ଶହକୁ ଶହ ଥର ହୋଇଗଲାଣି।
ମହନ୍ତଙ୍କର ଧନଦୌଲତ ଅମାପ। ଗାଈ, ମଇଁଷି ପଲକୁ ପଲ। ଧାନ ଟଙ୍କାର ସୀମା ନାହିଁ। ଆୟ ଢେର୍। ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ ଏହି, ଦେଶ ମଧ୍ୟରେ ମାଲିମକଦ୍ଦମା ଉପସ୍ଥିତ ହେଲେ ମୁଦେଇ-ମୁଦାଲା ଦୁଇ ପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯାଆନ୍ତି, ମାମଲା ଡିଗ୍ରୀ ହେଲେ କିଏ କେତେ ଟଙ୍କା ଦେବେ ପାଞିଆ ଲେଖି ରଖେ। ଯାହାର ମାମଲା ଡିଗ୍ରୀ ହୁଏ ଜଣେ ସାଧୁଙ୍କୁ ପଠାଇ ତା’ଠାରୁ ଟଙ୍କା ଅସୁଲ କରାଯାଏ।
ରାମସାଉ ଶାମସାଉ ଦୁଇ ଭାଇ। ଭାଇଭାଗ ବଣ୍ଟୁଆରା ପାଇ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା। ରାମସାଉ ପ୍ରଭୁଙ୍କଠାରେ ମନାସିଗଲ, ମାମଲା ଡିଗ୍ରୀ ହେଲେ କେତେ ଟଙ୍କା ଦେବ ପାଞିଆ ପଖରେ ଲେଖି ଦେଇ ଗଲା। ଶାମସାଉ ଆସେ ନାହିଁ। ବୁଝ-ବୁଝ ଶାମା କୟାଁ ଅଇଲା ନାହିଁ। ଜଣେ ଚେଲା ବୁଝିଆସି ଜଣାଇଲା, “ପ୍ରଭୁ! କଣ କହିବି – କହିବାକୁ ଡର ମାଡୁଛି – ଆଜ୍ଞା, ଶାମାର ଏଡେ ବହପ, ପାଞ୍ଜଚଜଣଙ୍କ ଆଗରେ ସାଫ୍ ଫିଟେଇ କହିଲା, କଳିକାଳରେ ମହନ୍ତଙ୍କ କରାମତ କାହିଁ ଯେ ମୁଁ ମନାସିବାକୁ ଯିବି?” ମହନ୍ତ ତେତେବେଳେ ଗଞେଇ ଭିଡୁଥିଲେ। ରାଗରେ ଖୁବ୍ ବଳରେ ଚିଲମଟା ଭିଡି ନେଲେ – ଦପକରି ଜଳିଉଠିଲା। ମହନ୍ତ ଅଳ୍ପ ଅଳ୍ପ ଭକ୍ ଭକ୍ କରି ପାଟିରୁ ଧୁଆଁ ଛାଡୁଥାନ୍ତି। କଥାଟା ଚିପି ଚିପି କହିଲେ, ଦେଖ ଚେଲାମାନେ, ଆକେ ହୁକୁମ କରିବୁ, ଏହି ଚିଲମ ନିଆଁ କଥା କହିବ”। ଚେଲାମାନଙ୍କର ତ ଆନନ୍ଦର ସୀମା ନାହିଁ। ସେମାନଙ୍କର ଦୃଢବିଶ୍ଵାସ, ମହନ୍ତଙ୍କ ଆଜ୍ଞା ମେଣ୍ଟଣ ହେବାର ନୁହେଁ। ସେହିଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, “ଧୁଳିଆବାବାଙ୍କୁ ପ୍ରଭୁଙ୍କର ସ୍ଵପ୍ନ ହୋଇଛି, ସେ ସିଦ୍ଧପୁରୁଷ ହୋଇଗଲେଣି, ତାଙ୍କ ଗନ୍ଜେଇ ଚିଲମ କଥା କହିବ।” ଥୋକେ ଚେଲା ପ୍ରକାଶ କଲେ “ନାହିଁ ନାହିଁ – ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି – ଦଶଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ଶୁଣିଆସିଲା।” ଆଉ ଯାଏ କାହିଁ? ତହି ଆରଦିନ ସକାଳୁ ସଞଯାଏଁ ଶହକୁ ଶହ ଲୋକ ଧାଇଁଛନ୍ତି। କାହାକୁ ବେମାରି ଛାଡୁନାହିଁ, କାହାର ବଳଦ ହଜିଛି ମିଳୁନାହିଁ, କାହାର ମାମଲା ଦାଏର ଅଛି ଡିଗ୍ରୀ ହେଉ। ଢେର ଢେର ତିରିଲା ପା’ପୁଜା ପଠାଇଛନ୍ତି, ସେମାନଙ୍କର ପୁଅ ହେଉ ନାହିଁ, ଚିଲମ ପ୍ରଭୁ ବର ଦିଅନ୍ତୁ। ଲୋକେ ପାଦପୂଜା ଟଙ୍କା ଅଧୁଲି ସୁକୀ ମହନ୍ତଙ୍କ ପାଦତଳେ ଦେଇ ଅଧିଆ ପଡିଚନ୍ତି।
ମହନ୍ତ ମହାରାଜା ଆଜ୍ଞା କଲେ, “ଉଠ ଉଠ ବାବାମାନେ! ଆମେ କିଛି କହିବୁ ନାହିଁ। ଏହି ଯେ ଆମ୍ଭ ଗଞେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୁନି ଥାପନା ହେବ। ସେହି ଧୁନିରେ ଅଗ୍ନିଦେବତା ବିଜେ କରିବେ, ସମସ୍ତଙ୍କ ଗୁହାରି ଶୁଣି ବର ଦେବେ। ଆସନ୍ତା ଅଗିରାପୂନେଇ ଦିନ ଅଗ୍ନିଦେବତା ସ୍ଵର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ। ଆମ୍ଭକୁ ସ୍ଵପ୍ନରେ ଆଜ୍ଞା କରିଛନ୍ତି, ଆମ୍ଭେ ଧୁନି ଥାପି ତାଙ୍କୁ ବିଜେ କରାଇ ରଖିବୁ। ଯାହାର ଯାହା ଗୁହାରି ଥିବ, ପୂଜା ଦେଇ ଜଣାଇଲେ ତତକ୍ଷଣାତ୍ ବର ମିଳିଯିବ।” ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ। ଧୁନିରେ ଶଏ ଆଠ ଆହୁତି ଦିଆ ଯିବ; ସେଥିସକାଶେ ଖଣ୍ଡିଏ ନବବସ୍ତ୍ର, ପାଞ୍ଚ ପା ଘିଅ, ପଞ୍ଚୁବର୍ଣ୍ଣୀ ପୁଷ୍ପ, ଗାଦି ପୁଜା ଦକ୍ଷିଣା ଯାହାର ଯାହା ଶକ୍ୟ; କିନ୍ତୁ ପାଞ୍ଚସୁକାରୁ ଉଣା ନୁହେଁ।
ଅଗିରା ପୁର୍ଣ୍ଣୀମା ଅଧରାତିଠାରୁ ଧୁନି ପୂଜା ଆରମ୍ଭ ହେଲା। ମହନ୍ତ ମହାରାଜ ଅାହୁତି ଦେବାରୁ ଅଗ୍ନିଦେବତା ବିଜେ ହୋଇଗଲେ। ଧୁ-ଧୁ ହୋଇ ଜଳୁଛନ୍ତି। ଯାହାର ଯାହା ପ୍ରାର୍ଥନା, ହାତ ଯୋଡି ଜଣାଇଲେ ଧୁନି ଭିତରୁ ଅଗ୍ନିଦେବତା ଗମ୍ଭିର ସ୍ଵରରେ “ହୁଁ-ନା ହେବ” ଏହିପରି ଆଜ୍ଞା କରୁଛନ୍ତି। ପ୍ରତ୍ୟକ୍ଷରେ ଅବିଶ୍ଵାସ କଣ? ଲୋକମାନେ ଶୁଣି ତାଟକା, ଭକ୍ତିରେ ଭୁଇଁରେ ଗଡିଯାଉଛନ୍ତି। ହରିଧ୍ଵନିରେ ମଠ ଉଛୁଳି ପଡୁଛି।
ଶାମସାଉ ସବୁକଥା ଶୁଣିଲା। ଘର ମଧ୍ୟରେ ଡକାପାରି ମୁଣ୍ଡ ବାେଇ ହଉଛି। ଲୋକମାନେ ଧୁନି ପୁଜା କରି ବର ଘେନି ଯାଉଛନ୍ତି। ରାମାଭାଇ ବି ପୁଜା ଦେଇ ବର ପାଇବ, ମୋହର ସର୍ବନାଶ ହେବ। ଇଜମାଲି ଧନ ଉଣା ନୁହେଁ, ଲକ୍ଷକରୁ ବଳିପଡିବ। ସବୁ ରାମାଭାଇ ଘେନିଯିବ। ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତି, “ଅାଚ୍ଛା ସେ ତେଲି ଟୋକାକୁ ଦେଖିବୁ'” ଏ କଥା ଶୁଣିଲାବେଳୁ ଶାମାର ଫକାସି ଉଡିଲାଣି। କଣ କରିବ, ଭାଳୁ ଭାଳୁ ଗୋଟାଏ ବୁଦ୍ଧି ଦିଶିଗଲା। ମହନ୍ତ ମହରାଜଙ୍କ ଗଞେଇ ପ୍ରସାଦ ସେବକମାନଙ୍କୁ ଯାଇ ଧଇଲା। କାହାକୁ ଦଶ, କାହାକୁ ପାଞ୍ଚ ଦେଇ ସମସ୍ତଙ୍କ ଗୋଡତଳେ ପଡିଲା। ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡତଳେ ପଡିବାକୁ ଉପଦେଶ ଦେଲେ।
ବେଳ ଛ’ଘଡି। ସେବକମାନେ ବେଢି ବସିଛନ୍ତି। ମହନ୍ତ ଧୁଳିଟାରେ ବସି ଗଞେଇ ଭିଡୁଛନ୍ତି, ଜାଗାଟା ଧୁଆଁମୟ। ଶାମସାଉ ଛାତି ଦାଉ ଦାଉ ହେଇ ପଡୁଛି। ଡରି ଡରି ଯାଇ ମୁଠାଏ ଟଙ୍କା ପାଦପୁଜା ପାଇଁ ଝଣ କରି ମହନ୍ତଙ୍କ ପାଦତଳକୁ ଫୋପାଡ଼ି ଦେଇ ଲମ୍ବ ଲମ୍ବ ଗୋଡତଳେ ପଡିଗଲା। “ପ୍ରଭୁ! ମୁଁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ'” ମହନ୍ତ ଆଖି ବୁଜି ଗଞେଇ ଭିଡୁଛନ୍ତି, କିଛି ଆଜ୍ଞା ହେଲା ନାହିଁ। ସମସ୍ତ ସେବକ ଏକା ବେଳକେ ମହନ୍ତ ମହାରଜଙ୍କ ଗୋଡତଳେ ପଡି ପ୍ରାର୍ଥନା କଲେ – “ହେ ମହାପ୍ରଭୁ! ଆମ୍ଭେମାନେ ମହାପାପିଷ୍ଠ, ଅପରାଧୀ।” ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି?” ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, “ଯାଓ ବେଟା, ପୁଜା ଲେ ଆଓ'” ଶାମସାଉର ଆନନ୍ଦର ସୀମା ନାହିଁ, ପୂଜା ଆଯୋଜନରେ ଧାଇଁଛି। ଯେଡେ ମହାଜନ, ପୁଜା ଆୟୋଜନ ସେହିପରି। ଘିଅ ପାଞ୍ଚ ପା ଜାଗାରେ ପାଞ୍ଚ ସେର, ଆଉ ଆଉ ସରଞାମ ତା ମାଫିକେ। ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢି ଆହୁତି ଦିଅନ୍ତି। ଶାମସାହୁ କୁମ୍ଭକର୍ଣ୍ଣୀ କିନାରି ସଚ୍ଚା ଜରିମୁହୁଣ୍ଡା ଖଣ୍ଡେ ବରମ୍ପୁରୀ ପାଟଶାଢ଼ି ଆହୁତି ଦେବା ଲାଗି ଆଣିଛି। ଶାମସାଉର ଭାରି ବଡ ପୂଜା ହେବ, ଗାଁ’ରେ ବି ସେ ଦୁଇ ଭାଇ ବଡ ଟାଣୁଆ ମହାଜନ। ଅଗ୍ନିଦେବ ତାକୁ ବର ଦେବେ, ଶୁଣିବାପାଇଁ ଆଖପାଖ ପାଞ୍ଚଖଣ୍ଡ ଗାଁରୁ ମଣିଷ ଧାଇଁଛନ୍ତି। ଊଣାଅଧିକ ପାଞ୍ଚଶହ ଲୋକ ଜମା ହୋଇ ଗଲେଣି। ବେଢା ଭିତରେ ଜାଗା ନାହିଁ।
ମନ୍ଦିରବେଢା ପାଚେରିଲଗା ଧାଡିଏ ଘର ଅଛି। ଗୋଟିଏ ଘରେ ମେଳା ମଉଛବରେ ପିଠାଖଜା ତିଆରି ହୁଏ। ତା ପାଖଟା ସରଘର। ସେହି ପିଠାତିଆରି ଘରେ ଧୁନି ଥାପନା ହୋଇଛନ୍ତି। ରାତି ଅନ୍ଦାଜ ଛ’ଘଡି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ। ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ। ଅନେକ ଟଙ୍କା ରୋଜଗାର ମାମଲା। ତୋଳାଏ ଆପୁ ଉପରେ ସଞବେଳେ ଆହୁରି ତୋଳାଏ ପକାଇଛନ୍ତି। ଗଞେଇ ବି ବେଶି କରି ଭିଡିଛନ୍ତି। ଚାଲିଲାବେଳେ ଗୋଡ ଟଳିଯାଉଛି, ଚାରିଜଣ ଚେଲା ଧରାଧରି କରି ନେଉଛନ୍ତି। ମହନ୍ତବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରୀ ହରିବୋଲ ପକାଇ ଗୋଡତଳେ ପଡିଗଲେ। ପୂଜା ଆରମ୍ଭ ହେଲା। ପାଞ୍ଚ ସେର ଘିଅ ଆହୁତି, ଖୁବ୍ ମୋଟା ମୋଟା ଢେର୍ ଗୁଡାଏ କାଠ ଧୁନିରେ ଲଦିଦେଲେ। ଆହୁତି  ପାଇ ଚାରିହାତ ଉଚ୍ଚ ଶିଖା ଟେକି ନିଆଁ ଧୁ ଧୁ ଜଳୁଛି। ଘର ଭିତରେ ମହନ୍ତ ଏକାକୀ। ପ୍ରଭୁଙ୍କର ସେହିପରି ମହିମା, ନୋହିଲେ ନିଆଁ ତେଜରେ ଆଉ କିଏସେ ପଶିପାରିବ। ଶାମସାଉ ବେକରେ ପଟକା ପକାଇ ହାତ ଯୋଡି ଦୁଆରବନ୍ଧ ବାହାରେ ଛିଡା ହୋଇ ଧୁନି ମହପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କରୁଛି। ମହନ୍ତ ଆଖିବୁଜି ଖୁବ ପାଟିକରି ପ୍ରାର୍ଥନା କଲେ, “ଧୁନିଜୀ! ଶାମା ବେଟାକୁ ବର ଦିଅ – ବର ଦିଅ – ବର ଦିଅ, ତା ମାମଲା ଫତେ ହେଉ।” ଧୁନି କିଛି ଜବାବ ଦେଲେ ନାହିଁ। ମହନ୍ତ ଆପଣାର କରାମତ ଲୋକଙ୍କୁ ଦେଖେଇବା ପାଇଁ ଛିଡା ହୋଇଗଲେ। ହାତରେ ଯେଉ ଦଶସେରିଆ ଲୁହଚିମୁଟା ଥିଲା, ଖୁବ ବଳରେ ପାହାରେ ବାଡେଇଲେ। ଭୁସ୍ କରି ଭାରି ଗୋଟାଏ ଶବ୍ଦ ହେଲ। ଶାମସାଉ ଚମକି ପଡି ଅନାଇଲା, ଘର ଭିତରେ ଛାତିଏ ଗହୀର ଗୋଟେ ଗାତ। ଗାତ ଅଧାଅଧି ପୁରି ନିଆଁ ଜଳୁଛି, ତା ମଧ୍ୟରେ ଦୁଇଜଣ ଲୋକ ଭାରି ଗୋଟାଏ ଧରା ପରା ଲାଗିଛନ୍ତି। ଶାମ ପ୍ରଥମେ କିଛି ବୁଝିପାରିଲା ନାହିଁ। ମୁହୂର୍ତ୍ତକ ବାଦ ଭକ୍ତିବଳରେ ବୁଝିଗଲା, ଧୁନିଦେବତା ଦେହ ଧରି ବିରାଜମାନ ହୋଇଗଲେଣି, ମହନ୍ତଙ୍କ ସାଙ୍ଗରେ କୋଳାକୋଳି କରୁଛନ୍ତି। ତାହାର ଭାଗ୍ୟ ଫିଟିଲା, ବର ମିଳିଯିବ। ମୁହୂର୍ତ୍ତକ ମଧ୍ୟରେ ଏତେ କଥା ବୁଝିନେଲା। ଖୁବ ପାଟି କରି ହରିବୋଲ ପକାଇ କହିଲା, ଧୁନି ଦେବତା ରୁପ ଧରି ବିଜେ ହେଲେଣି। ଯେତେ ଲୋକ ଥିଲେ, ଆନନ୍ଦରେ ହରିବୋଲ ପକାଉଛନ୍ତି। ମନ୍ଦିରରୁ ଘଣ୍ଟା କାହାଳୀ ଝାଞ ବାଜୁଛି। ସମୁଦ୍ର ଗର୍ଜନ ପରି ଶବ୍ଦ ଶୁଭୁଛି। ଅଗ୍ନିଦେବତାଙ୍କୁ ଦର୍ଶନ କରିବାକୂ ଲୋକେ ଧାଇଁଲେ। ଗୋଟିଏ ବୋଲି ଦୁଆର, ଘର ଭିତରଟା ଧୁଆଁରେ ପୁରିଛି। ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡାଦଳାରେ ଆଣ୍ଠୁଗଣ୍ଠି ଛିଡି ଘାଉଲା ହୋଇଗଲେଣି।
ପହରେ ବିତିଗଲାଣି। ଲୋକେ ନାଚିକୁଦି ହରିବୋଲ ଦେଇ ହାଲିଆ ହୋଇ ପଡିଲେଣି। ଏ କଣ? ମଡାପୋଡାର ଉତ୍କଟ ଗନ୍ଧ। ଲୋକ ନାକରେ ଲୁଗା ଜାକୁଛନ୍ତି। କେତେଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲକରି ଅନାଇଲେ – ଆରେ ମହନ୍ତ ମହାରାଜ ପୋଡି ମଲେଣିରେ! ବାଜେ ଲୋକ ବୁଝିଲେ, ଅଗ୍ନିଦେବତା ବିଜେ ହୋଇ ମହନ୍ତବାବାଙ୍କୁ ଖାଇଗଲେଣି – କାଳେ ଧାଇଁ ଆସି ଆଉ ସମସ୍ତଙ୍କୁ ଖାଇଯିବେ। ପଳା – ପଳା – ପଳା! ପଡିଉଠି ଗୋଟାକ ଉପରେ ଗୋଟାଏ ପଡି ଧାଇଁଛନ୍ତି। ଶେଷକୁ ମନ୍ଦିର ପୁଜାହାରୀ ଟହଲିଆ ଚାକରମାନେ ବି ଛାଡି ପଳେଇଲେଣି। ଦଣ୍ଡକ ମଧ୍ୟରେ ଏଡେ ମନ୍ଦିରଟା ନିଶୂନ। ଖାଲି ଧୁନି ଘରୁ ପଡ୍ ପଡ୍ ଶବ୍ଦ ଶୁଭୁଛି, ଦୁର୍ଗନ୍ଧ ବାହାରୁଛି।
ଦେଗାଁ ପାଖକୁ ଗୋପାଳପୁର ସରକାରୀ ଥାନା ପୁରା ଅଢେଇକୋଶ ବାଟ। ସଖାଳୁ ସଖାଳୁ ସେଠାରେ ଖବର ପହଞ୍ଚିଗଲା। ଦାରୋଗା ସାହେବ ପାଞ୍ଚ ଛଜଣ ବରକନ୍ଦାଜ, ଆଠ ଦଶ ଚୌକିଦାର ଧରି ଧାଇଁଲେ। (ଢେର ଦିନ କଥା/ ତେତେବେଳେ କନେଷ୍ଟବଳ ନ ଥିଲେ) ଦାରୋଗା ପହଞ୍ଚି ଦେଖିଲେ, ମନ୍ଦିର ତ ମନ୍ଦିର, ଗାଁ ଗୋଟାରେ ଜଣେ ମଣିଷ ବି ନାହିଁ। ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ।
ଚୌକିଆମାନେ ବହୁତ ଡକାହକା କରିବାରେ ଭିତରୁ ମାଇକିନିଆମାନେ ଜବାବ ଦେଲେ, ପୁରୁଷ ଘରେ କେହି ନାହିଁ। କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣୁଆଘର, କେହି ଜାତିଆଣ ଭୋଜି ଖାଇ, ଢେର ଲୋକ ଯାଇଛନ୍ତି କଟକ ମାମଲାରେ। ବହୁତ ଖୋଜ ତଲାସରେ ମନ୍ଦିର ପୁଜାରୀ ଆଉ କେତେଜଣ ଚାକର ବାହାରିଲେ। ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସର ଘର ଭିତରୁ ଧୁନି ମଝିଯାଏଁ ମନୁଷ୍ୟ ଗୋଟାଏ ଗଳିଯିବା ଭଳି ବିଳ ଖୋଳାଯାଇଛି। ଧୁନି ତଳେ ଅଢେଇ ଅଢେଇ ହାତ ଲମ୍ବା ଚୌଡା, ଅଢେଇ ହାତ ଗହୀର ଗୋଟାଏ ଗହିଡା ଖୋଳା ହୋଇଛି। ତା ଉପରେ ଚାଖଣ୍ଡେ ମାତ୍ର ମାଟି ଅଛି। ସେହି ମାଟି ଉପରେ ଧୁନି ଜଳେ। ସେ ଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୁନି ତଳେ ବସିଥାଏ, ମହନ୍ତ କିଛି ପଚାରିଲେ ଜବାବ ଦିଏ। ଘଟଣା ରାତ୍ରରେ ଗଞୋଡ ଚେଲା ଧୁନି ତଳେ ବସିଥିଲ, ତା ନାମ ହୁଣ୍ଡା ଦାସ। ସେଦିନ ମହନ୍ତଙ୍କର ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା। ଲାସ ଭାରି ମଣିଷ। ଭାରୀ ଚିମୁଟାରେ ଖୁବ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଗାତରେ ପଡିଗଲା। ଦୁଇଟା ଲୋକ ଧରାପରା ହୋଇ ପୋଡି ମଲେ। ବାହାରେ ବଡ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣିପାରିଲେ ନାହିଁ।
ଦାରୋଗା ସାହେବ ରିପୋର୍ଟ ଲେଖି ମଇନା ସକାଶେ ଅଧାପୋଡା ଲାସ୍ ଯୋଡାକ ସହରକୁ ପଠାଇଦେଲେ।

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s