ଆମ ଗାଁ ବଇଆ ଅଜାଙ୍କର ବାରିକ କମ୍ ଆଉ ଜଣେ ମକରନ୍ଦିଅା ଲୋକ ହିସାବରେ ଅଧିକ ନାଁ ଥିଲା। ଛୋଟ ଛୋଟ କଥାକୁ ବନେଇ ଚୁନେଇ କହିବାରେ ଅଜାଙ୍କୁ କେହି ପାରନ୍ତି ନାହିଁ। ସଞବେଳେ ଗାଁମୁଣ୍ଡ ବରଗଛ ପାଖରେ ଆସର ଜମେ। କେତେବେଳେ କେମିତି ବଇଆ ଅଜା ମିଳିଗଲେ ସଭିଏଁ ନିଜ ନିଜ କାମ ଛାଡି ବୁଢାକୁ ଘେରି ବସିଯାନ୍ତି ତାଙ୍କ ମଜାଳିଆ କଥା ସବୁ ଶୁଣିବା ପାଇଁ। ଅଜା ବାହାଘରିଆ ବାରିକ ହିସାବରେ ଆଖପାଖ ୧୦ ଖଣ୍ଡ ଗାଁକୁ ଯାଆନ୍ତି ଆଉ ପ୍ରତି ଥର ତାଙ୍କ ପାଖରେ କିଛି ନୁଆ କଥା ଥାଏ କହିବା ପାଇଁ।
ମାସେ ଖଣ୍ଡେ ତଳେ ଗୋଟେ ବରଯାତ୍ରୀ ଦଳସାଙ୍ଗରେ ଅଜା ଗାଁରୁ କଟକ ଯାଇଥିଲେ। ଝିଅଘର କଟକରେ ଥିଲାବାଲା ଘର, ମଙ୍ଗଳାବାଗରେ ରୁହନ୍ତି। ପୁଅଘରଟା ଗାଁରେ ହେଲେ କଣ ହେବ ଟୋକାଟା ବାଙ୍ଗାଲୋରରେ ଚାକିରି କରୁଛି,ଭଲ ପଇସା ରୋଜଗାର କରୁଛି। ତେଣୁ ବଇଆ ଅଜା ମନେମନେ ମୋଟା ପାଉଣା ଗଣ୍ଡାଏ ମିଳିବ ବୋଲି ସବୁ କାମ ଛାଡି ବାହାରି ପଡିଲେ। ନହେଲେ ପେଟ ଦୋଷ ଲାଗି ବୁଢା ଦୂର ଯାଗାକୁ ଯିବାକୁ ଜମା ମଙ୍ଗେନାହିଁ।
ଗାଁରୁ ବରର ପରିବାର ଲୋକ, ସାଙ୍ଗସାଥୀ ମିଶି ବରଯାତ୍ରୀ ପ୍ରାୟ ୧୫ ଜଣ ଖଣ୍ତେ ବାହାରିଲେ। ଜେନାଘର ମିନିବସଟା ଶେଷମୁହୁର୍ତ୍ତରେ ଖରାପ ହେଇଗଲା, ଭାଗ୍ୟ ଭଲ ବିଶିଆଦାସର ଟ୍ରେକ୍କର ଦିଓଟି ଭଡାରେ କୁଆଡେ ଯାଇ ନଥିଲେ। ନହେଲେ ବାହାଘରିଆ ସିଜିନରେ ଗାଁଗହଳିରେ ଗାଡିଘୋଡା ମିଳିବା କାଠିକର ପାଠ। ସ୍ଥିର ହେଲା ବର, ତା ବାପା ଆଉ ଭଉଣୀ ଗୋଟେ କାରରେ ଯିବେ ଆଉ ବାକି ବରଯାତ୍ରୀ ଦୁଇଟି ଟ୍ରେକ୍କରରେ ବାଣ୍ଟିକୁଣ୍ଟି ବସିବେ। ହଁ ମ, ବାଟ କେତେ କି? ଛକରୁ ହାଇୱେ ଉପରକୁ ଉଠିଗଲା ପରେ କଟକରେ ପହଞ୍ଚିବାକୁ କେତେ ସମୟ ଲାଗିବକି ଆଉ? ତାପରେ ରାତିରେ ବାଡେଇ ହେଇ ମାଡି ଚାଲିଯିବ ପରା!
ରାତି ପ୍ରାୟ ୮ଟା ବେଳକୁ ବାହାରିବାର ପ୍ଲାନ ଥିଲା, ହେଲେ ବରର ଭଉଣୀ ବିଉଟି ପାର୍ଲରରୁ ଫେରି ନ ଥିବାରୁ ଟିକେ ଡେରି ହେଲା। ୯ଟା ବାଜିବାରୁ ପୁଅର ବାପ ରାଗିକି ପଞ୍ଚମ। ଶେଷରେ ରାତି ୯:୩୦ ବେଳକୁ ସମସ୍ତେ ଆସି ପହଞ୍ଚିଲେ। ଘରପାଖରୁ ପ୍ରଶେସନ୍ ଆରମ୍ଭ ହେଲା। ବ୍ରାସବ୍ୟାଣ୍ଡ୍ ଆସିଥାଏ ଯେତେବେଳେ ଟିକେ ନାଚ ନହେଲେ ଚଳିବ? ଗାଁପିଲା କହିଲେ ସାଙ୍ଗର ବାହାଘର ଆଉ ଟିକେ ନାଚ ହବନା ଆଉ! ବରର ବାପ ଯେତେ ଦାନ୍ତ କଡମଡ କଲେ କଣ ହେବ, ଟୋକାଏ ନ ଛୋଡ ବନ୍ଧା! ଏ ସବୁ ନାଟ ଦେଖି ବଇଆ ଅଜା ବି ଭାରି ବିରକ୍ତ ହଉଥାନ୍ତି ହେଲେ କଣ କରି ପାରିବେ? ଆଜିକାଲିକା ଟୋକାଙ୍କର କିଛି ଥାନଜ୍ଞାନ ନାହିଁ, କିଛି କହିଲେ ଅବସ୍ଥା ଦି’କଡା କରିଦେବେ। ତେଣୁ ଚୁପଚାପ ବସି ଟୋକାଙ୍କ ନାଚ ଦେଖିବା ବୁଦ୍ଧିମାନର କାମ। ଅଜା ବିଡିଖଣ୍ତେ ଲଗେଇ ଦେଇ ଗୋଟେ କଣରେ ବସିଗଲେ। ଦୁଇ ଚାରିଟା ରେକର୍ଡ ଡାନ୍ସ ପରେ ଦୁଇ ରାଉଣ୍ଡ ନାଗୁଣୀନାଚ ହେଇଗଲା। ଅଜା ମନେମନେ ଭାବୁଥାନ୍ତି ୟେ ଟୋକାଗୁଡା କଣ ଜମା ହାଲିଆ ହଉନାହାନ୍ତି? ଶେଷରେ ବରର ବାପା ପୁଣି ଚିଡିବାରୁ ସମସ୍ତେ ଆସି ନିଜ ନିଜ ଗାଡିରେ ବସିଲେ। ବଇଆ ଅଜା ନିଶ୍ଵାସ ମାରିଲେ, ଯାହାହେଉ ଟୋକାଙ୍କ ଯାତରା ସରିଲା!
ଆରାମରେ ବସ ବୋଲି କହି ଟ୍ରେକ୍କରର ସବା ଆଗ ସିଟରେ ବଇଆ ଅଜା ଆଉ ବରର ମାମୁଁଙ୍କୁ ବସେଇ ଦେଇ ବାକିତକ ଟୋକା ପଛସିଟରେ ବସିଲେ। ଆଗେଆଗେ ବରର ଗାଡି, ତାପଛକୁ ଗୋଟେ ଟ୍ରେକ୍କର ଆଉ ସବା ପଛ ଗାଡିରେ ଅଜା ବସିଥାନ୍ତି। ବରଘରେ ପେଟେ ବାହାଘରିଆ ଖାଇଥାନ୍ତି, ଆଉ ଆଗ ସିଟରେ ଭଲ ହାଉଆ ଲାଗୁଥାଏ। ତେଣୁ ସିଟପଛ ବାଡ ଉପରେ ମୁଣ୍ଡ ରଖି ଅଜା ଶୋଇପଡିଲେ।
କିଛି ବାଟ ଯାଇଛି କି ନାହିଁ ହଠାତ୍ ଅଜାଙ୍କ ନିଦ ଭାଙ୍ଗିଗଲା, ପଛକୁ ବୁଲି ଦେଖିଲା ବେଳକୁ ପଛରେ ଟୋକାଏ ଫୁସୁରୁ ଫାସର ହେଉଥାନ୍ତି। ଅନ୍ଧାରରେ କିଛି ଦେଖା ଯାଉନଥାଏ ହେଲେ ବଇଆ ଅଜା ଠିକ ଠଉରେଇନେଲେ ଯେ ବୋତଲଟିଏ ଖୋଲା ହେଇଛି ପଛ ସିଟରେ! ଟୋକାଗୁଡାକ ବି ହଠାତ୍ ଅଜାଙ୍କୁ ଦେଖି ହଡବଡେଇ ଗଲେ. ତାଙ୍କ ଭିତରୁ ଜଣେ କହିଲା “ବଇଆ ଅଜା, ତୁ ଶୋଇନୁ କି ଲୋ? ଟିକେ ମାରିବୁ କି? ତୋ ଚିଲମ ଠାରୁ ବେଟର ଜିନିଷ ଏଟା!” ଅଜା ରାଗ ତମତମ ହେଇ ଶୋଧିଲେ “ଘୋଡାମୁହାଁ, ତୁମ ବାପର ବାପ ବୟସର ଲୋକ ମୁଁ! ମୋତେ ନାଲିପାଣି ଯାଚୁଛ? ତାମସା ଲଗେଇଛ ଏଠି!” ବଇଆ ଅଜାଙ୍କ ଚିତ୍କାର ଶୁଣି ବରର ମାମୁଁ ଉଠିଗଲେ, ଅଜାଙ୍କୁ ବୁଝେଇ ଶୁଝେଇ ଶାନ୍ତ କଲେ। ଟୋକାଙ୍କୁ ତାଗିଦ୍ କରି ନାଲି ଆଖି ଦେଖେଇବାରୁ ମାମଲା ଟିକେ ଥଣ୍ତା ହେଲା। ଅଜା ପରେ ଜାଣିବାକୁ ପାଇଲେ ଯେ ଯେତେବେଳେ ଦଳେ ଟୋକା ନାଗୁଣୀନାଚ କରୁଥିଲେ, ମାମୁଁ ଜଣକ ବାକି ଦଳେ ଟୋକାଙ୍କ ସହିତ ମିଶି ଟାଙ୍କେ ପିଇଥିଲେ! ଯାହା ହେଉ ଅଜା ଶୋଇଯିବା ପରେ ଛୁଆମାନେ ଶାନ୍ତିପୂର୍ଣ୍ଣ ଭାବରେ ପେଗେ ଲେଖାଁ ତେଣ୍ତି ଘୁଙ୍ଗୁଡି ମାରିଲେ।
ଓ.ଏମ୍.ପି. ଛକରେ ଯାଇ ପହଞ୍ଚିଲା ବେଳକୁ ରାତି ପ୍ରାୟ ସାଢେ ବାରଟା। ଆଗ ଗାଡି ଦୁଇଟି ବାରଟା ବେଳୁ ପହଞ୍ଚି ଏମାନଙ୍କ ରାସ୍ତାକୁ ଚାହିଁ ବସିଥାନ୍ତି। ବ୍ୟାଣ୍ତ୍ ପାର୍ଟି, ଲାଇଟିବାଲା ସବୁ ରେଡି, ଦେଖିଲାବେଳକୁ ମାମୁଁ ଆଉ ବାରିକର ଦେଖାନାହିଁ। ବରର ବାପା ସ୍ୟାଡେ ରାଗରେ ରକ୍ତ ଚାଉଳ ଚୋବେଇଲେଣି। ବଇଆ ଅଜା ବିଚରା ଘଟଣା ଦେଖି ଛାନିଆ ହେଇ ଗୋଟେ ହାତରେ ତାଙ୍କ ସାମଗ୍ରୀ ବ୍ୟାଗ୍ ଆଉ ଆର ହାତରେ ବରର ମାମୁଁଙ୍କୁ ଘୋଷାରି ନେଇ ହାଜର! ବରର ବାପା ଦିଜଣଙ୍କୁ ଥରେ କଟମଟ କରି ଅନେଇଲେ। ମାମୁଁଙ୍କର ପୁରା ଉତୁରି ନଥାଏ, ତେଣୁ “ନନା, ମୁଁ ଯାଏଁ ଟୋକାଙ୍କୁ ସବୁ ଉଠାଏ” କହି ଚମ୍ପଟ୍ ମାରିଲେ!
ସମସ୍ତେ ଯେଝା କାମରେ ଲାଗିଗଲେ। ପ୍ରଶେସନ୍ ଆରମ୍ଭ ହେଇଗଲା। ବ୍ରାସବ୍ୟାଣ୍ତ ବାଜିବାରୁ ମାତାଲି ଟୋକା କେଳାର ବୀଣାଶବ୍ଦ ଶୁଣି ଟୋକେଇ ଭିତରୁ ଯେମିି ସାପ ବାହାରେ ସେମିତି ଜଣଜଣ କରି ଟ୍ରେକ୍କର ଭିତରୁ ବାହାରିଲେ। କି ନାଚ ତା’ପରେ! କଥାରେ କହନ୍ତି ପରା କଟକର ତେଲିଙ୍ଗି ବାଜା! ଉଠିପଡି ନାଚିଲେ ଟୋକାପଞ୍ଝାକ!
ଝିଅଘରେ ପହଞ୍ଚିଲା ବେଳକୁ ରାତି ଦେଢଟା। ବଇଆ ଅଜା ବର ସହିତ ମଣ୍ତପ ପାଖକୁ ଚାଲିଗଲେ, ସାଙ୍ଗରେ ବରର ବାପା, ଭଉଣୀ, ମାମୁଁ ଆଉ ସବୁ ବନ୍ଧୁ ବାନ୍ଧବ। ସମସ୍ତେ ଯାଇ ଗଦି ଉପରେ ବସିବା ମାତ୍ରେ ଥଣ୍ତା ସରବତ, ଲେମ୍ବୁପାଣି, ଦହିପଣାଯଚାଗଲା। ଆଃ, କି ଚର୍ଚ୍ଚା! ଅଜା ୨-୩ ଗିଲାସ ଲେମ୍ବୁପାଣି ପିଇ ଆଗେ ସାଷ୍ଟମ ହେଲେ। ଭଲ ଡେକୋରେସନ୍ ହେଇଥାଏ, ପୁରା ବେଦିଟା ଫୁଲରେ ଵୋଝେଇ କରି ଦେଇଥାନ୍ତି। ରଜନୀଗନ୍ଧା, ସୁଗନ୍ଧରାଜ, ମଲ୍ଲିଫୁଲର ଵାସନାରେ ଚାରି ଆଡ ମହକୁଥାଏ।
ବିଧି ଆରମ୍ଭ ହେବାକୁ ଅଧଘଣ୍ଟା ସମୟ ଥାଏ, ତେଣୁ ଅଜା ଅଣ୍ଟାରୁ ବିଡି ଖଣ୍ତେ କାଢି ନିଆଁ ଧରେଇଲେ। ବାହାରିଲା ବେଳେ ବରଘର ଭୋଜିରେ ମାଉଁସଭାତ ଖାଇଥିଲେ, ତାପରେ ଟ୍ରେକ୍କରରେ ଠିକ୍ କରି ନିଦଟା ହେଇ ନ ଥାଏ। ତେଣୁ ବିଡିଟା ସରୁସରୁ ବୁଢାକୁ ଭାରି ଜୋରରେ ତଲବ ଦେଖେଇଲା! ନୂଆ ଜାଗା, କହିବେ କାହାକୁ? ବଡ ସହର କଥା, ସବୁ ଆଡେ ଆଲୁଅ। ଗାଁ ଗହଳି ହେଇଥିଲେ ସିନା କାହା ଓଳିତଳେ ନହେଲେ ଗୁହାଳ ପଛପଟରେ ଚଟାପଟ କାମଟା ସାରି ଦେଇଥାନ୍ତେ! ବଡ ବିଷମ ପରିସ୍ଥିତିରେ ପଡିଲେ ଅଜା, ସିଆଡେ ପେଟଟା ବେଳକୁ ବେଳ ଘାଣ୍ଟି ହେଇ ଯାଉଥାଏ! ବେଳ ଥାଉ ଥାଉ କାମଟା ନ ସାରିଲେ ଯଦି ଧୋତିରେ ହେଇଗଲା ତାହେଲେ ବଡ ଝାମେଲା ହେବ! ଶେଷକୁ କିଛି ଉପାୟ ନପାଇ ବଇଆ ଅଜା ଯାଇ ଝିଅଘର ବାଲା ଲୋକଙ୍କ ଭିତରୁ ଜଣକୁ ଧରି ସବୁକଥା କହିଲେ। ଯାହା ହେଉ ସେ ଲୋକଟି ଅଜାଙ୍କୁ ନେଇ ସାଙ୍ଗେସାଙ୍ଗେ ତାଙ୍କ ପାଇଖାନାଟି ଦେଖେଇ ଦେଲା। ବଇଆ ଅଜାଙ୍କ ଖୁସି କହିଲେ ନ ସରେ, ବଞ୍ଚିଗଲା ମଣିଷ!
ଅତର୍ଚ୍ଛା ଭିତରେ ପଶି କିଳିଣି ଦେଇ ଧୋତି ଖଣ୍ତକ ତରବରିଆ ହୁକରେ ଟାଙ୍ଗିଦେଲେ। କେମିତି ଯାଇ ବସି ପଡିବି ବୋଲି ବୁଲିକି ଦେଖିଲା ବେଳକୁ ପଛରେ ଗୋଟେ କମୋଡ! ଅଜା ଆମର ଗାଁ ଲୋକ, ତାଙ୍କ ଜୀବନରେ କେବେ କମୋଡ ଦେଖି ନ ଥିଲେ! ହଠାତ୍ ଏମିତିଆ ଗୋଟେ ସିଂହାସନ ଦେଖି ହଡବଡେଇ ଗଲେ, ହେଲେ ସିଆଡେ ତଲବର ଚାପଟା ଅସମ୍ଭାଳ ହେଲାଣି! ତେଣୁ ଆଉ ଅଧିକ ଚିନ୍ତା ନ କରି ବୁଢା ସେ ସିଂହାସନ ଉପରେ ଚଢି ବସି ପଡିଲେ ଆଉ ଆଗେ କାମଟା ସାରିଦେଲେ। ଆଃ! କି ଶାନ୍ତି!
ହାଲୁକା ହେଲା ପରେ ଅଜା ସେଇଠୁ ଲୋଟା ଖୋଜିଲେ। ହେଲେ ୟେ କଣ? ଢାଳ କି ବାଲଟି କିଛି କଣ ଦିଶୁନି? ସିଂହାସନ ଉପରେ ବସି ବିକଳ ହେଇ ବୁଢା ଚାରିଆଡେ ଖୋଜିଲା କିନ୍ତୁ କିଛି ଗୋଟେ ଜିନିଷ ଦେଖାଗଲା ନାହିଁ ପାଞ୍ଛେଇବା ପାଇଁ! ୟେ ଶଳା ହିଆପ ଟାଉନ୍ ଲୋକ ପାଇଖାନାରେ ଏତେ ସବୁ ସରଞାମ ରଖିଛନ୍ତି ହେଲେ ଢାଳ କି ବାଲଟି ଖଣ୍ତେ ରଖି ପାରିଲେନି? ସିଆଡେ ବାହାଘର ବିଧିର ସମୟ ହେଇ ଆସୁଥାଏ। ତେଣୁ ବିକଳିଆ ହାତ ପାଖାପାଖି ପାଣିର କଳ (Tap)କୁ ଖୋଲି ଦେଖିବାକୁ ଲାଗିଲେ। ଡାହାଣ ପାଖର ଗୋଟେ ଲମ୍ବା ପାଇପ୍ ବାଲା କଳଟିକୁ ଖୋଲିଦେଲେ ଯେମିତି ପିଚ୍ ପିଚ୍ କରି ପାଣି ବାହାରିଲା। ଆରେ ବାଃ! ଶଃ ପୁରା ଅଟୋମେଟିକ ଜିନିଷ ଆଉ! ଶୌଚ ହେଇ ଗୋଡହାତ ଧୋଇ ବୁଢା ଧାଇଁଲା ସିଧା ବେଦି ପାଖକୁ।
ପଣ୍ତିତ ସେତେବେଳକୁ ମନ୍ତ୍ରଫନ୍ତ୍ର ପଢା ଆରମ୍ଭ କରି ସାରିଲେଣି। ଅଜା ତାଙ୍କ ସାମଗ୍ରୀ ବ୍ୟାଗଟି ବାହାର କରି ବେଦି ପାଖରେ ଠିଆ ହୋଇଗଲେ। ବାହାଘର କାମ ଆଗେଇ ଚାଲିଲା। ମଝିରେ ମଝିରେ ସରବତ, ଖଇପଣା, ଲେମ୍ବୁପାଣି ଏମିତି ଭଳିକି ଭଳି ଜିନିଷ ଆସୁଥାଏ! ବୁଢା ପ୍ରତିଥର ଗିଲାସେ ଲେଖାଏଁ ପିଉଥାଏ। କନ୍ୟାଘରର ପଣ୍ଡିତଟି ପୁରା ଚତାଇତନ କାଟିଥାନ୍ତି,ଗଳାରେ ସୁନାଚେନ୍,ହାତରେ ଖଡୁ। ଦେଖିକି ଲାଗୁଥିଲେ ଗୋଟେ ପଣ୍ଡିତ ଭଳିଆ। କନ୍ୟାର ଜଣେ ଦୂରସମ୍ପର୍କୀୟ ଅଜା ବେଦିପାଖରେ ଚୌକି ପକେଇ ବସିଥାନ୍ତି ଆଉ ଦୁଇ ପଣ୍ଡିତଙ୍କୁ ଜେରା କରୁଥାନ୍ତି। ବାହାଘର କାମ ଜୋରସୋରରେ ଆଗେଇ ଚାଲିଲା।
୩-୪ ଗିଲାସ ଖଣ୍ତେ ସରବତ ପିଇଦେଲା ପରେ ଅଜାଙ୍କୁ ଭାରି ଜୋରରେ ପରିସ୍ରା ମାଡିଲା। ମଲା ମଣିଷ! ଯାହା ହେଉ ମଉକା ଦେଖି ବୁଢା ଝିଅଘର ବାରିକକୁ ଆସୁଛି ବୋଲି କହି ଧାଇଁଲେ ପୁଣି ପାଇଖାନା ପାଖକୁ। ଯାଇ ଦେଖିଲା ବେଳକୁ ପାଇଖାନା ଘରେ ତାଲା ପଡିଛି। କି ମୁସୁକିଲି ଲୋକ! ୟେ ଘରଟାରେ କିଏ ତାଲା ଲଗାଏ? ଭାଗ୍ୟକୁ ଯୋଉ ଲୋକଟି ପାଇଖାନା ଦେଖେଇଥିଲା, ତାକୁ ଖଣ୍ତେ ଦୂରରେ ଠିଆ ହୋଇଥିବାର ଦେଖିଲେ। ଅଜା ତାକୁ ଯାଇ କହିଲେ “ବାବୁରେ, ଟିକେ ତାଲାଟା ଖୋଲିଲେ ମୁଁ ଟିକେ ପରିସ୍ରା ଯାଆନ୍ତି”। ଅଜାଙ୍କୁ ଦେଖି ସେ ଲୋକ ରାଗିକି ଖପା। “ତୁମେ ଏଇ ଟିକେ ଆଗରୁ ପାଇଖାନା ଯାଇଥିଲ ନା? କି ଅଭଦ୍ର ଲୋକ କି ହୋ, ଫ୍ଲସଟା ଚଲେଇବ ନାହିଁ? ଯାଅ, ଏବେ ତୁମେ ଯାଇ ବାହାରେ ପରିସ୍ରା କର”। ଅଜାଙ୍କୁ ଭାରି ବାଧିଲା ହେଲେ ଭୁଲ୍ ତ କରିଛନ୍ତି। ତାଙ୍କୁ କି ଜଣା ସେଠି ଫ୍ଲସ୍ ବୋଲି ଗୋଟେ ଯନ୍ତ୍ରଟାଏ ବି ଥିଲା!
କାନମୁଣ୍ତ ଆଉଁସି ସାହିମୁଣ୍ତ ପାନଦୋକାନ ପଛ ପଟରେ ଅନ୍ଧାରିଆ କାମଟି ସାରି ଦେଲେ। ବେଦିପାଖକୁ ଫେରିବାକୁ ବୁଲି ପଡିଲା ବେଳକୁ ଦେଖିଲେ ରାସ୍ତା ଆର ପାଖ ସାହିରେ କିଛି ଲୋକ ରୁଣ୍ଡ ହେଇଥାନ୍ତି, କିଛି ଟୋକାଙ୍କ ଘେରି। ରାସ୍ତାକଡ ବତୀ ଆଲୁଅରେ ତାଙ୍କ ମୁହଁଗୁଡା ଅଜାଙ୍କୁ ଚିହ୍ନିଲା ଚିହ୍ନିଲା ଭଳିଆ ଲାଗିଲା। କଣ ହେଇଛି ବୋଲି ଯାଇ ଦେଖିଲା ବେଳକୁ ଆମ ଗାଁ ଗଉରାପୁଅ ପପୁ, ବିଶିଆ ଦାସ ପୁଅ ମଧୁଆ ଏମିତି ୪ଜଣ କାନ ଧରି ଉଠବସ ହେଉଛନ୍ତି।ସେଠିକା ସାଇଟୋକାମାନେ ତାଙ୍କୁ ଘେରିବସିଥାନ୍ତି। ଅଜାଙ୍କୁ ଦେଖି ବିଚରା କାନ୍ଦ କାନ୍ଦ ହେଇଗଲେ। ସାଇଟୋକାଙ୍କୁ ଅଜା ପଚାରିଲେ “କଣ ହେଲାକି ବାବୁମାନେ, କାହିଁକି ଏମାନଙ୍କୁ ଉଠବସ କରଉଛ?” ତାଙ୍କ ଭିତରୁ ଜଣେ ପଚାରିଲା “ତୁମେ କିଏ?” ଅଜା ପରିଚୟ ଦେବାରୁ ସେ କହିଲା “ୟେ ୪ଟା ମାତାଲି ଟୋକା ଏଠି ପାଟିତୁଣ୍ତ କରି ଉତ୍ପାତ କରୁଥିଲେ। ପଚାରିବାରୁ ଆମେ ବରଯାତ୍ରୀ, ଆମର ଖାତିରି କର ବୋଲି ରୋଲ୍ କଲେ। ସେଇଥିପାଇଁ ଆମେ ଏବେ ତାଙ୍କର ଖାତିରି କରୁଛୁ। ୪୦ ଖଣ୍ତେ ଉଠବସ ସରିଲାଣି, ଆହୁରି ୧୦ ବାକି ଅଛି।” ଏକଥା ଶୁଣି ଅଜା ଅଣ୍ଟାରୁ ବିଡି ବଣ୍ତଲଟି ବାହାର କରି ସାଇଟୋକାଙ୍କୁ ଗୋଟିଏ ଲେଖାଏଁ ବିଡି ଦେଲେ ଆଉ ନେହୁରା ହେଲେ ତାଙ୍କ ଗାଁ ଟୋକାଙ୍କୁ ଛାଡି ଦେବାକୁ। ବୁଢାଲୋକ ଭୁଲଫୁଲ୍ ମାଗିବା ଦେଖି ସାଇଟୋକା ଅଜାଙ୍କ ମୁହଁକୁ ଚାହିଁ ଛାଡିଦେଲେ। ଗାଁ ପିଲାଙ୍କୁ ସାଙ୍ଗରେ ନେଇ ବେଦି ପାଖରେ ପହଞ୍ଚିଲା ବେଳକୁ ଯାହା ହେଉ ଝିଅଘର ବାରିକ ପରିସ୍ଥିତିଟାକୁ ସମ୍ଭାଳି ନେଇଥାଏ। ୟେ ଚାରିଜଣଙ୍କୁ ବରର ମାମୁଁଙ୍କ ଦାୟୀତ୍ଵରେ ଦେଇ ବଇଆ ଅଜା ପୁଣି କାମରେ ଲାଗିଗଲେ।
ବାହାଘର ସରୁସରୁ ରାତି ପାହିଗଲା। ସମସ୍ତେ ଫ୍ରେଶ୍ ହେଇ ଦିନ ଦଶଟା ସୁଦ୍ଧା ବାହାରିବେ ବୋଲି ସ୍ଥିର ହେଲା। ଝିଅଘର ତରଫରୁ ବରଯାତ୍ରୀଙ୍କ ପାଇଁ ପାଖ ହୋଟେଲରେ ରହିବାର ସୁବିଧା କରା ଯାଇଥାଏ। ରାତିର ପାଇଖାନା ଅନୁଭୁତି କଥା ମନେ ପଡିଯିବାରୁ ବୁଢା ମନେ ମନେ ହସି ପକେଇଲା! ବଇଆ ଅଜା ନିଜ ଜିନିଷ ପତ୍ର ଧରି ହୋଟେଲକୁ ଚାଲିଲେ ନିତ୍ୟକର୍ମ ସାରିବାକୁ। ସେଠି ପପୁ ଆଉ ମଧୁଆ ଦେଖାହେଲେ। କାଲି ରାତିରେ ଅନ୍ଧାରରେ ଭଲ କରି ଦେଖାଯାଉ ନଥିଲା, ହେଲେ ସେପାଖ ସାଇଟୋକା ଏମାନଙ୍କୁ ମାରି ମୁହଁ ଫୁଲେଇ ଦେଇଥାନ୍ତି। ଭଲ ହେଇଛି, ମାଡୁଆ ଟୋକା ମାଲ୍ ପିଇ ରୋଲ୍ କରିବା କଣ ଦରକାର ଥିଲା? ସିଏ ପୁଣି କଟକିଆ ଟୋକାଙ୍କ ସାଙ୍ଗରେ!
ଅଜା ଗାଧୋଇ ପାଧୋଇ ଚାଲିଲେ ଜଳଖିଆ କରିବାକୁ। କାଉଣ୍ଟରରେ ଯାଇ ଦେଖିଲା ବେଳକୁ ଭଳିକି ଭଳି ଜଳଖିଆ ସବୁ ରଖା ହେଇଥାଏ। ସାଧା, ଆମିଷ, ଦୁଧ, ଚା, କଫି ଏମିତି କେତେ କଣ। ଚିକିଣିଆ ଖାଇବା ଦେଖି ଅଜା ଲୋଭରେ ଗେମ୍ଫିଗଲେ! ତାପରେ ବଡ ହାକୁଟିଟାଏ ମାରି କପେ ଚା ଧରି ବସିଗଲେ ଗୋଟେ ଚେୟାର ଉପରେ। ଗୋଟେ ଲୋକ କ୍ୟାମେରା ଧରି ସମସ୍ତଙ୍କର ଫଟୋ ଉଠଉଥାଏ। ସମସ୍ତେ ମୁଚୁକୁନ୍ଦିଆ ହସି କ୍ୟାମେରା ଆଡକୁ ଚାହୁଁଥାନ୍ତି, ସତେ ଯେମିତି କାଲି ସକାଳ ଖବରକାଗଜରେ ୟାଙ୍କ ଫଟୋ ସବୁ ଛପିବ! ଆଉ ଗୋଟେ ଲୋକ ସେମିତି ଭିଡିଓ କ୍ୟାମେରା ଖଣ୍ତେ ଧରି ବୁଲୁଥାଏ। ହଠାତ୍ ଅଜାଙ୍କ ଉପରକୁ ଫୋକସ୍ କଲା ଚା ପିଉଥିବା ଅବସ୍ଥାରେ, ବୁଢାର ତାଳୁକୁ ଉଠିଗଲା! ଶଃ, କି ଫାଲତୁ ଲୋକ!
ସବୁ କାମ ସାରି ଝିଅ ବିଦା ହେଲା ବେଳକୁ ୧୧ଟା ବାଜିଲା। ବର କନ୍ୟାଙ୍କୁ ନେଇ ସମସ୍ତେ ଗାଁକୁ ଫେରିଲେ। ସେଦିନଠାରୁ ଅଜାଙ୍କୁ କେହି ବାହାଘରିଆ କଟକ ଯିବାକୁ କହିଲେ ବୁଢା ମନା କରେ। ଆମ ଗାଁ ଗହଳିର ବାହାଘର ଠିକ ଅଛି, ୟେ ବଡ ସହରକୁ କିଏ ଯିବରେ ବାବା। ଖାଇଲାବେଳେ ବି ଫଟୋ ଉଠେଇ ନଉଛନ୍ତି, କି କଥା ୟେ? ହେଲେ ସିଂହାସନ କଥାଟା ପଡିଲେ ଅଜା ମୁଚୁକୁନ୍ଦିଆ ହସି କୁହନ୍ତି ଯେ ସେ ସିଂହାସନ ଉପରେ ବସି ଅନନ୍ତଵ୍ରତଟି ଉଝଉଥିଲେ!
ପାଇଖାନା କଥାଟା ଭଲ ଅଛି।
LikeLiked by 1 person
ହେ ହେ! ଧନ୍ୟବାଦ ଗପୁ!
LikeLiked by 1 person