ସଫଳତାର ମରିଚୀକା ପଛରେ ଦଉଡୁ ଦଉଡୁ
ଜୀବନରେ ଲାଭ କ୍ଷତିର ହିସାବ ଯୋଡୁ ଯୋଡୁ
ମନହୁଏ ପୁଣି ଛୁଆଟିଏ ହୋଇଯାଆନ୍ତି କି
ଆଉ ତା’ପରେ….
ସାଙ୍ଗମେଳେ ଗାଁଦାଣ୍ତେ ଦୌଡନ୍ତି
ଖରାବେଳେ ପୋଖରିରେ ବୁଡନ୍ତି
ପ୍ରଜାପତିଙ୍କ ପଛେ ଘୁରି ବୁଲନ୍ତି
ଲାଜକୁଳୀ ଲତାଗୁଡିକୁ ମୁଁ ଛୁଅନ୍ତି
ବସ୍ତାନି ଧରି ଚାଟଶାଳି ଯାଆନ୍ତି
ଗୁରୁଙ୍କର ସ୍ନେହ ଶାସନ ପାଆନ୍ତି
ଚାଟସାଥୀଙ୍କ ସହ ଧୂଳିରେ ଖେଳନ୍ତି
ଘରକୁ ଫେରି ବୋଉଠୁ ଗାଳି ଖାଆନ୍ତି
ଖେଳଛୁଟି(ରିସେଶ୍)କୁ ଅନାଇ ରହନ୍ତି
ଘଣ୍ଟି ବାଜିଲେ ଦଉଡି ଯାଆନ୍ତି
ଟିଫିନ ବାକ୍ସ ସବୁ ଏକାଠି କରନ୍ତି
ସାଙ୍ଗମେଳେ ବସି ଏକାଠି ଖାଆନ୍ତି
ଛୁଟିହେଲେ ଇସ୍କୁଲରୁ ଘରକୁ ଧାଆଁନ୍ତି
ବସ୍ତାନି ଫୋପାଡି ଖେଳି ବାହାରନ୍ତି
ବୁଢୀମା ଠାରୁ ଅସୁରୁଣି ଗପ ଶୁଣନ୍ତି
ଗପ ସରିବା ପୂର୍ବରୁ ଶୋଇ ପଡୁଥାନ୍ତି