ପେଟୁ

କାଲି ସରଜୁ ମାଉସୀ ଚାଲିଗଲା। ଦାହ ସଂସ୍କାର ପରଠୁ ପେଟୁର ବି ଦେଖା ନାହିଁ। ସରଜୁ ମାଉସୀ ଆଉ ପେଟୁର ସମ୍ପର୍କଟା ମା‐ପୁଅଠୁ ବଳିକି। ଗାଁରେ ସମସ୍ତଙ୍କ ପାଇଁ ଏକ ବହୁତ ବଡ ଉଦାହରଣ ସ୍ନେହ ଆଉ ଅନାବିଳ ପ୍ରେମର।

ଓଡିଶାର ଉପକୂଳବର୍ତ୍ତୀ ଏକ ତଳିଆ ଗାଁ। ଅଧାରୁ ଅଧିକ ଗ୍ରାମବାସୀ ନୋଳିଆ, ସମୁଦ୍ରରୁ ମାଛମାରି ପେଟ ପୋଷନ୍ତି। ସେଇ ଗାଁ ଚାହାଳିର ପ୍ରଧାନ ଶିକ୍ଷକ
ଶଶୀଧର ମିଶ୍ର ନିଜ ପତ୍ନୀ ସରଜୁଙ୍କ ସହ ରହୁଥିଲେ। ଠାକୁରେ ସରଜୁ ମାଉସୀ କୋଳକୁ ଛୁଆଟିଏ ଦେଇନଥିଲେ ସିନା, ହେଲେ ମାଉସୀ ସାଇପଡିଶାର ସବୁ ଛୁଆଙ୍କୁ ନିଜର ଭଳି ସ୍ନେହ କରେ। ନିଜର ସ୍ୱଳ୍ପ ସମ୍ବଳରେ ଦୁଇପ୍ରାଣୀ ସୁଖେଦୁଃଖେ ଚଳିଯାଉଥିଲେ। ଗାଁମୁଣ୍ତ ଡିହଉପରେ ନଡାଛପର ଘରଖଣ୍ତକ ଥିଲା ମାଷ୍ଟ୍ରଙ୍କର ଦୁଃସ୍ଥ ଜୀବନର ମୁକସାକ୍ଷୀ।

ମହାବାତ୍ୟା ସମୟର କଥା। ସମୁଦ୍ର ରାକ୍ଷସ ଭଳି ମାଡିଆସି ଆଖପାଖ ଗାଁଗଣ୍ତାକୁ ଦେଖୁ ଦେଖୁ ବୁଡେଇ ଦେଲା। ଲୋକଗୁଡା ପୋକମାଛିପରି ଭାସିଗଲେ। ଶଶୀମାଷ୍ଟ୍ରଙ୍କ ଘରଟି ଡିହ ଉପରେ ହୋଇଥିବାରୁ ଦିହେଁ ବଞ୍ଚିଗଲେ ହେଲେ ଭୋକ ଉପାସରେ ପଡି ରହିଲେ। ଦିନେ ସକାଳୁ ମାଉସୀ ଦେଖିଲା ବେଳକୁ ଡିହର ତଳମୁଣ୍ତରେ ୨-୩ବର୍ଷର ଛୁଆଟିଏ ଲାଖି ରହିଥାଏ। ଅଚେତ ଥିଲା କିନ୍ତୁ ନିଶ୍ୱାସ ଚାଲୁଥାଏ। ମାଷ୍ଟ୍ରଙ୍କ ସହାୟତାରେ ଛୁଆଟିକୁ ଉଠେଇ ମାଉସୀ ଘର ଭିତରକୁ ନେଇଗଲା। ଦେହଟି ତାର ଥଣ୍ତାରେ ଶେତା ପଡି କମ୍ପୁଥାଏ। ଦୁଇଦିନ ପର୍ଯ୍ୟନ୍ତ ସରଜୁ ମାଉସି ଛୁଆଟିକୁ କମ୍ବଳରେ ଘୋଡେଇ ଛାତିରେ ଲଗେଇ କୁଣ୍ଢେଇ ଧରି ବସି ରହିଲା, ଭୋକଶୋଷ ସବୁ ଭୁଲି। ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ? ଛୁଆଟିର ଚେତା ଫେରିଲା, ଠିକ୍ କରି କଥା କହିପାରୁ ନଥିବାରୁ ଜାଣି ପାରିଲେ ନାହିଁ ତା ଘରଠିକଣା କଥା। ମାଉସୀ କହିଲା “ଆଜିଠୁ ତୁ ମୋ ପୁଅ। ଏଇଟା ତୋର ଘର।” ଛୁଆଟି ମାଷ୍ଟ୍ରଙ୍କୁ ବାପା ଆଉ ମାଉସୀକୁ ମା’ ବୋଲି ଡାକିଲା।

ପାଣି ତଳକୁ ଖସିବାପରେ ଗାଁ ଲୋକ ପ୍ରକୃତ କ୍ଷୟକ୍ଷତି ଜାଣିବାକୁ ପାଇଲେ। ପ୍ରାୟ ୨୫-୩୦ଜଣ ଲୋକ ପାଣିରେ ଭାସିଗଲେ, କାହାର ପତ୍ତା ମିଳିଲା ନାହିଁ। ସବୁ ଭୁଲି ପୁଣି ନିଜନିଜ ଦୈନନ୍ଦିନ ଜୀବନକୁ ସମସ୍ତେ ଫେରିଲେ। ସରଜୁ ମାଉସୀ ଭାସି ଆସିଥିବା ଛୁଆଟି କଥା ସମସ୍ତଙ୍କୁ କହିଲା। ଅବିକଳ ମା‐ପୁଅ ପରି ଲାଗୁଥିଲେ ଦିହେଁ।

ଗାଁ ଦାଣ୍ତରେ ସାହିର ଅନ୍ୟ ଛୁଆଙ୍କ ସାଙ୍ଗରେ ଖେଳୁଥିବା ଏଇ ଛୁଆଟିର ଖାଇବାରେ ଭାରି ଲୋଭ ଥିଲା। ଘରେ ଖୁଆଇ ଛାଡିଲେ ମଧ୍ୟ ସାଇପଡିଶାଙ୍କ ଘରେ ବି ଖାଇ ଦେଇ ଆସୁଥିଲା। ମାଉସୀ ଯେତେ ତାଗିଦା କଲେ ବି ଛୁଆଟି ନଛୋଡବନ୍ଧା। ଗାଁଆବାଲା ମାଷ୍ଟ୍ରଙ୍କ ପୁଅ ବୋଲି ଖରାପ ଭାବୁ ନଥିଲେ ବରଂ ଛୁଆଟିର ନାଁ ‘ପେଟୁ’ ବୋଲି ରଖିଲେ!

ସରଜୁ ମାଉସୀ ପେଟୁକୁ ଯଶୋଦା ମାଆ ଭଳି କୋଳେଇ କାଖେଇ ବଡ଼ କରିବାକୁ ଲାଗିଲା। କେବେ ପେଟୁର ଦେହ ଖରାପ ହେଲେ ମାଉସୀ କୌଣସି ଦେବାଦେବୀଙ୍କ ପୂଜା ଛାଡୁ ନଥିଲା। ଧିରେ ଧିରେ ପେଟୁ ବଡ ହେଲା, ଗାଁ ଚାହାଳିକୁ ଗଲା ପାଠ ପଢିବାକୁ। ମାଷ୍ଟ୍ରଙ୍କ ଶତଚେଷ୍ଟା ସତ୍ତ୍ୱେ ପେଟୁର ପାଠପଢାରେ ମନ ଲାଗିଲା ନାହିଁ, ଶେଷରେ ସପ୍ତମ ଶ୍ରେଣୀରେ ପାଠ ଛାଡିଲା। ମାଷ୍ଟ୍ରଙ୍କର ପୈତୃକ ସମ୍ପତ୍ତି ବୋଲି ଗୋଟିଏ ଛୋଟ ଜମି ଥିଲା, ସେଥିରେ ଚାଷବାସ କରିବା ଆରମ୍ଭ କଲା। ପାଠ ନପଢିବାରୁ ମାଷ୍ଟ୍ରେ ଦୁଃଖୀ ହେଲେ, କିନ୍ତୁ ପେଟୁ ପରିଶ୍ରମ କରି ପେଟ ପୋଷିବ ଜାଣି କିଛି କହିଲେ ନାହିଁ।

ସମୟ ବା କାହାକୁ ଅପେକ୍ଷା କରେ। ମାଷ୍ଟ୍ରେ ଅଳ୍ପବୟସରେ ଆରପାରିକୁ ଚାଲିଗଲେ। ପେଟୁ ଚାଷବାସ କରିବା ସହ ସରଜୁ ମାଉସୀର ଯତ୍ନ ନେଉଥାଏ। ମାଷ୍ଟ୍ରେ ଚାଲିଗଲା ପରେ ମାଉସୀ ଭାଙ୍ଗି ପଡ଼ିଲା। ପୁରୁଣା କାଶ ରୋଗଟା ତାର ଦେହଟାକୁ ଭିତରୁ ଖାଇବାକୁ ଆରମ୍ଭ କରି ଦେଇଥାଏ। ଦିନେ ରାତିରେ ମାଉସୀ ବହୁତ କାଶିବାରୁ ପେଟୁ ଧାଇଁଯାଇ ଦେଖିଲା ବେଳକୁ ମାଆ ପାଟିରୁ ରକ୍ତ ପଡୁଥାଏ। ପେଟୁ ହାଉଳି ଖାଇ ମା’କୁ କୁଣ୍ଢେଇ କାନ୍ଦିଲା। ସାଇପଡିଶା ଆସି ଦେଖି କହିଲେ ଡାକ୍ତରଖାନା ନେଇ ଯିବାକୁ।

ରାତାରାତି ପେଟୁ ଟ୍ରେକରଟିଏ କରି ମା’କୁ ନେଇ ଛୁଟିଲା କଟକ, ବଡ ଡାକ୍ତରଖାନା। ବାଟସାରା ମାଉସୀ କାଶୁଥାଏ ଆଉ ତା ମୁହଁରୁ ରକ୍ତ ବହି ଯାଉଥାଏ। ବାରମ୍ବାର ସେ ପେଟୁକୁ କହୁଥାଏ “ବାବୁରେ, ମର୍ତ୍ତ୍ୟମଣ୍ତଳେ ଦେହ ବହି ଦେବତା ହେଲେ ବି ମରଇ। ମୁଁ ଚାଲିଗଲେ ତୁ ମନ ଊଣା କରିବୁ ନାହିଁ। ନିଜର ଯତ୍ନ ନେବୁ। ନହେଲେ ମୋର ଆଉ ତୋ ବାପାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ।” ପେଟୁ ବିଚରା ଭୋ ଭୋ କରି କାନ୍ଦୁଥାଏ।

ବଡ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ରାତି ପାହି ନଥାଏ। ପେଟୁ ଦଉଡିଯାଇ ଡ୍ୟୁଟିରେ ଥିବା ଡାକ୍ତରବାବୁଙ୍କ ଗୋଡତଳେ ପଡି ଗୁହାରି କଲା ମା’କୁ ବଞ୍ଚେଇବା ପାଇଁ। ଡାକ୍ତରବାବୁ ମାଉସୀକୁ ଚେକ୍ କରି କହିଲେ “ତୋ ମା’କୁ ଟିବି ହେଇଛି। ଯକ୍ଷ୍ମାରୋଗ। ବଞ୍ଚିବାର ଆଶା ବହୁତ କମ୍! ତଥାପି ସକାଳ ପର୍ଯ୍ୟନ୍ତ ଅପେକ୍ଷା କର। ବଡ ଡାକ୍ତର ଆସିଲେ ଦେଖିବେ।” ପେଟୁ ଡାକ୍ତରବାବୁଙ୍କୁ ନେହୁରା ହେଲା ମା’କୁ କିଛି ଔଷଧ ଦେବାକୁ ଯେମିତି ରକ୍ତ ପଡ଼ିବା ବନ୍ଦ ହେଇଯାଉ। ହେଲେ ସେ ୱାର୍ଡ ବୁଲିବାକୁ ଚାଲିଗଲେ।

ପେଟୁ ମା’କୁ ଆଣି ତଳେ କନ୍ଥା ପକେଇ ଶୁଆଇ ଦେଲା। ବାଟସାରା କାଶିକାଶି ଓ ରକ୍ତ ବହିଯାଇଥିବାରୁ ମାଉସୀ ମୁହଁଟା ଶେତା ପଡିଯାଇଥାଏ। ପେଟୁ ତା ମୁଣ୍ତ ଉପରେ ହାତ ବୁଲେଇ ଆଣିଲା ଯେମିତି ମାଉସୀ ମୁହଁରେ ଗୋଟେ ମୁରୁକି ହସ ଖେଳିଗଲା। ମାଉସୀ ଆଉ କାଶୁ ନଥିଲା କିନ୍ତୁ ନିଶ୍ୱାସ କ୍ଷୀଣ ହୋଇ ଆସିବ ସହ ଦେହ ଥଣ୍ତା ପଡିବାରେ ଲାଗିଲା। ବୋବାଳି ଛାଡି କାନ୍ଦିଉଠି ପେଟୁ ମା’କୁ ନିଜ ଛାତିରେ କୁଣ୍ଢେଇ ଧରି ବସିଲା। ମନେ ମନେ ଜଗନ୍ନାଥଙ୍କୁ ଡାକୁଥାଏ “ପ୍ରଭୁ ହେ, ମା’କୁ ବଞ୍ଚେଇ ଦିଅ।” ରାତିସାରା ମା’କୁ କୁଣ୍ଢେଇ ଧରି ବସି ରହିଲା ପେଟୁ।

ସକାଳ ହେଲା। ପେଟୁର ଆଖପାଖ ଧିରେଧିରେ ଚଳଚଞ୍ଚଳ ହେଇଉଠିଲା। ହେଲେ ମାଉସୀ ଆଉ ଉଠିଲାନି। ପେଟୁ ସେମିତି ବସିଥାଏ ମା’କୁ କୁଣ୍ଢେଇ। ବଡଡାକ୍ତର ଆସି ପେଟୁକୁ ସାନ୍ତ୍ୱନା ଦେଲେ, କହିଲେ ଗାଁକୁ ଫେରିଯିବାକୁ।

ଗାଁରୁ ସାଇପଡିଶା ଯାଇ ପହଞ୍ଚିଲେ। ଗାଡିଟିଏ କରି ମାଉସୀକୁ ଗାଁକୁ ଆଣିଲେ। ପେଟୁ ଆଉ କାନ୍ଦୁ ନଥିଲା। ମାଉସୀର ଜୁଇପାଖରେ ଗଛପରି ଠିଆ ହୋଇ ରହିଲା ଚୁପଚାପ। ଭଗବାନଙ୍କୁ ମନେ ମନେ ଗାଳି ଦେଉଥିଲା ବୋଧେ। ନା ଧନ୍ୟବାଦ ଦେଉଥିଲା ସରଜୁ ମାଉସୀ ଭଳି ମା’ପାଇଁ।

ହଠାତ ଆଖିତଳଟା ଗରମ ଲାଗିଲା। ଦେଖିଲା ବେଳକୁ ତାଜା ଲୁହ ଦୁଇଟୋପା ଆଖିରୁ ଗଡ଼ି ଯାଇଥିଲେ।

3 Comments

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s